ଖଜୁରୀପଡାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଖଜୁରୀପଡା,ଏନ୍ଏନ୍ଏସ୍‌: ଖଜୁରୀ ପଡା ବ୍ଲକରେ ଲାଗିରହିଥିବା ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଜିଲ୍ଲା ପାଳ ପ୍ରତେକ ବ୍ଲକରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଯାଇ ସିଧା ସଳଖ ଜନସାଧାରଣ ଙ୍କ ଦୁଃଖ ଦୁର୍ଦ୍ଦଶା ଓ ସମସ୍ୟା ଶୁଣୁ ଛନ୍ତି ଏବଂ ଆସିଥିବା ଅଭିଯୋଗ ଉପରେ ଗୁରୁତ୍ବପୂର୍ଣ୍ଣ ଭାବେ ଗ୍ରହଣ କରି ସେହି ସମସ୍ୟା ଗୁଡ଼ିକର ସମାଧାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ୨୪ ଜାନୁଆରୀ ୨୦୨୩ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲାର ପ୍ରଶାସକ ଜିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲ ଖଜୁରୀପଡ଼ା ବ୍ଲକ ଗସ୍ତରେ ଆସି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ପାଳ ଅଭିଯୋଗ ଶୁଣାଣି ଶିବିରରେ ୧୧୮ ଅଭିଯୋଗ ଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୧୨ ରହିଥିବା ବେଳେ ସାମୁହିକ ଅଭିଯୋଗ ୬ଟି ରହିଥିବା ସୂଚନା ମିଳିଛି। ଏହି ଶିବିରରେ ଜିଲ୍ଲାପାଳ ବ୍ୟତୀତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସିଧାସଳଖ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକର କିଛି ଜନସାଧାରଣ ଆସି ସେମାନଙ୍କ ଅଭିଯୋଗ ଜଣାଇଥିବା ବେଳେ ଉପାନ୍ତ ଅଞ୍ଚଳରେ ବସ ବାସ କରୁଥିବା ଜନସାଧାରଣମାନେ ସେମାନଙ୍କ ମୌଳିକ ସମସ୍ୟା ଶିକ୍ଷା, ଗମନାଗମନ, ପାନୀୟଜଳ ଯୋଗାଣ, ବିଦ୍ୟୁତ ସଂଯୋଗ, ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲକୁ ନେଇ ବହୁ ହିତାଧିକାରୀ ଅଭିଯୋଗ ଜଣାଇଥିଲେ। ଏହି ଯୁଗ୍ମ ଅଭିଯୋଗରେ ୧୪ଟି ଗ୍ରାମପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ଉପସ୍ଥିତ ଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପମା ଘୋଷ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ଆରକ୍ଷୀ ଅଧିକାରୀ ଶୁଭେନ୍ଦୁ କୁମାର ପାତ୍ର, ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ହର ପ୍ରସାଦ ଭୋଇ ଅତିରିକ୍ତ ନିର୍ବାହୀ ଅଧିକାରୀ ପ୍ରଶାସକ ଜିଲ୍ଲା ପରିଷଦ କନ୍ଧମାଳ ତହସିଲଦାର ସ୍ୱପ୍ନିତା ନାୟକ, ଏବିଡ଼ିଓ ସଲିଲ କୁମାର ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।