ଧାନ ଗାଡ଼ି ରଖି କଲେ କଲେକ୍ଟୋରେଟକୁ ଅବରୋଧ

୭୨ ଘଣ୍ଟା ପରେ ଆନ୍ଦୋଳନକୁ ଓହ୍ଲାଇଲେ ସମ୍ବଲପୁର ଚାଷୀ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ପାଇଁ ଗତ ୧୫ ତାରିଖରୁ ସମ୍ବଲପୁର ସଦର ଉପଖଣ୍ଡରେ ସମସ୍ତ ୨୭ଟି ମଣ୍ଡି ଓ କ୍ରୟକେନ୍ଦ୍ର ଖୋଲିଥିବା ବେଳେ ଆଜି ଚତୁର୍ଥ ଦିନରେ ମଧ୍ୟ ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି ରହିଛି। ଏଣେ ସମସ୍ତ ୟାର୍ଡରେ ଚାଷୀମାନେ ବିକ୍ରି ପାଇଁ ଆଣିଥିବା ହଜାର ହଜାର ବସ୍ତା ଧାନ ପଡ଼ିରହିଥିବା ବେଳେ ସୁରୁଖୁରୁରେ ଧାନ ସଂଗ୍ରହ ପାଇଁ ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ୭୨ ଘଣ୍ଟିଆ କଣ୍ଟ ପୂରିବା ପରେ ଆଜି ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସମ୍ବଲପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ବିଭିନ୍ନ ୟାର୍ଡରେ ଗତ ୧୫ ତାରିଖରୁ ବିକ୍ରି ପାଇଁ ଧାନ ଆଣିଥିବା ଚାଷୀଙ୍କ ସମେତ ଶତାଧିକ ଚାଷୀ କଲେକ୍ଟୋରେଟ ନିକଟରେ କ୍ରପ୍ କଟିଂ ରିପୋର୍ଟ ଆଧାରରେ ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରାପ୍ୟ ଦାବିରେ ଚାଲିଥିବା ରିଲେ ଅନଶନ ମଣ୍ଡପରେ ସମବେତ ହୋଇଥିଲେ। ସେଠାରେ ଅନୁଷ୍ଠିତ ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ବୈଠକରେ ବିଭିନ୍ନ ୟାର୍ଡରେ ପହଞ୍ଚଥିବା ଧାନ ଗାଡ଼ିର ପ୍ରତିକାତ୍ମକ ଭାବେ ୫ ଟି ଧାନ ଗାଡ଼ିକୁ ଆଣି କଲେକ୍ଟୋରେଟ ପରିସରରେ ରଖିବା ଏବଂ ଆଜି ସନ୍ଧ୍ୟାସୁଦ୍ଧା ଧାନ କିଣା ନହେଲେ ଆସନ୍ତାକାଲି ସମ୍ବଲପୁରରେ ଥିବା ସମ୍ବଲପୁର, ରେଙ୍ଗାଲି ଓ ରେଢ଼ାଖୋଲ ବିଧାୟକଙ୍କ ଘରେ ଧାନ ଅନ୍ଲୋଡ୍ କରିବା ଏବଂ ସ୍ଥିତିରେ କୌଣସି ସୁଧାର ନହେଲେ ଆସନ୍ତା ୨୦ ତାରିଖ ଦିନ ଜିଲ୍ଲାର ସମସ୍ତ ଜାତୀୟ ରାଜ୍ୟ ରାଜପଥରେ ଧାନ ଗାଡ଼ି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହାପରେ ପଶ୍ଚିମ ଓଡ଼ିଶା କୃଷକ ସୁରକ୍ଷା ସଂଗଠନ ସମନ୍ୱୟ ସମିତିର ଆବାହକ ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ଚାଷୀମାନେ ୫ଟି ଧାନଗାଡ଼ି ନେଇ କଲେକ୍ଟୋରେଟ ପରିସରକୁ ଯାଉଥିବା ବେଳେ ବାଟରେ ପୁଲିସ ଅଟକାଇଥିଲା। ଚାଷୀମାନେ କେବଳ ଧାନ ଗାଡ଼ି ନେଇ କଲେକ୍ଟୋରେଟ ଭିତରେ ରଖାଯିବ ଏବଂ ସେମାନେ ବାହାରେ ରହିବେ ବୋଲି ଚାଷୀମାନେ ଆଶ୍ୱାସନା ଦେବା ସତ୍ତେ୍ୱ ପୁଲିସ ଶୁଣିନଥିଲା। ଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସଦର ଉପ-ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଓ ଅତିରିକ୍ତ ଏସ୍ପି ପ୍ରଦୀପ କୁମାର ମହାପାତ୍ର ଏନେଇ ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ସଭାପତି ମୁରାରି ପ୍ରସାଦ ପୁରୋହିତଙ୍କ ସହ ଆଲୋଚନା କରିଥିଲେ।

ଏହାସତ୍ତେ୍ୱ କଲେକ୍ଟୋରେଟ ଭିତରକୁ ଧାନ ଗାଡ଼ି ଛାଡ଼ିବା ସକାଶେ ପ୍ରଶାସନ ରାଜି ନ ହେବାରୁ ଚାଷୀମାନେ କଲେକ୍ଟୋରେଟର ସମସ୍ତ ଫାଟକକୁ ଧାନ ଗାଡ଼ି ରଖି ଅବରୋଧ କରିବାକୁ ଯିବା ବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ଶେଷରେ ଚାଷୀମାନେ କଲେକ୍ଟୋରେଟ ମୁଖ୍ୟ ଫାଟକ ସମ୍ମୁଖରେ ଧାନ ବୋଝେଇ ଦୁଇଟି ଟ୍ରାକ୍ଟର ରଖିବା ସହ ଅନ୍ୟ ୩ଟି ଫାଟକରେ ମଧ୍ୟ ଧାନ ବୋଝେଇ ଟ୍ରାକ୍ଟର ରଖି କଲେକ୍ଟୋରେଟକୁ ଅବରୋଧ କରିଛନ୍ତି। ଟୋକନ ବ୍ୟବସ୍ଥାକୁ ବାତିଲ କରାଯିବା ସହ ୟାର୍ଡ ଓ କ୍ରୟକେନ୍ଦ୍ରଗୁଡ଼ିକୁ ଚାଷୀମାନେ ଆଣୁଥିବା ଧାନ ତୁରନ୍ତ କିଣାଯିବା ସକାଶେ ପଦକ୍ଷେପ ନିଆ ନଯିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।

ଅପରପକ୍ଷେ ସମ୍ବଲପୁର ସଦର ଉପଖଣ୍ଡର ସମସ୍ତ ୨୭ ଟି ଯାକ ମାର୍କେଟ ୟାର୍ଡ ଓ କ୍ରୟ କେନ୍ଦ୍ରରେ ଆଜି ଯୋଗାଣ ଓ ସମବାୟ ବିଭାଗ କର୍ମଚାରୀ, ପାକ୍ସ ତଥା ମିଲର୍ସ ପ୍ରତିନିଧି ଉପସ୍ଥିତ ଥିବା ବେଳେ ୬ ହଜାରରୁ ଊଦ୍ଧ୍ୱର୍ ଟୋକନ ଜାରି ହୋଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠ କହିଛନ୍ତି। ହେଲେ ଆଜି ଚତୁର୍ଥ ଦିନ ସୁଦ୍ଧା କୌଣସି ୟାର୍ଡ ଓ କ୍ରୟ କେନ୍ଦ୍ରରେ ଧାନ କିଣା ଯାଇନଥିବା ଶ୍ରୀ ସେଠ ସ୍ୱୀକାର କରିଛନ୍ତି।