ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳକୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ପ୍ରଥମେ ଚିତ୍ରକୋଣ୍ଡା ରାଜୁଲକୋଣ୍ଡା ସ୍ଥିତ କୃଷି ଫାର୍ମକୁ ଗସ୍ତ କରିଥିଲେ। ସେଠାରେ ଏହି କୃଷି ଫାର୍ମ ଦୀର୍ଘ ଦିନ ଧରି ଧିମେଇ ରହିଥିବା ଦେଖି ଉଦ୍ୟାନ ବିଭାଗ ଦ୍ୱାରା ପରିଚାଳିତ ଏହି ଫାର୍ମରେ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ଅନୁଦାନ ଦିଆଯିବ ବୋଲି କହିଥିଲେ। ଏହାସହ କୃଷି ଭିତ୍ତିକ ଗବେଷଣା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଦେବାପାଇଁ ଜିଲ୍ଲାପାଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଲକଡାଉନ୍ ଯୋଗୁଁ ଜିଲ୍ଲାରେ ଦୈନିକ ହଜାର ହଜାର ପ୍ରବାସୀ ଶ୍ରମିକ ମୋଟୁ ସୀମା ନେଇ ପ୍ରବେଶ କରୁଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କର ଦାୟିତ୍ୱ ସାଙ୍ଗକୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱ ତୁଲାଇ ଆସୁଛନ୍ତି। ଫଳରେ ଜିଲ୍ଲାରେ ବିକାଶ କାର୍ଯ୍ୟ କିଛି ମାତ୍ରାରେ ଧୀମେଇ ଯାଇଥିବାରୁ ଏହାକୁ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
ଅଧିକ ଶ୍ରମ ଦିବସ ସୃଷ୍ଟି କରି ମନରେଗା ଯୋଜନାରେ କିଭଳି ଏହି ଅଞ୍ଚଳର ଆଦିବାସୀମାନେ କାମ ପାଇବେ ସେଥିପାଇଁ ବ୍ଲକ୍ ତରଫରୁ ନିଆଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବଡ଼ପଡ଼ା ଗସ୍ତ କରି ସେଠାରେ ଆଇଟିଡିଏ ପକ୍ଷରୁ ନିର୍ମାଣାଧୀନ ଛାତ୍ରବାସର କାର୍ଯ୍ୟ ତଦାରଖ କରିବା ସହ ଅନୁଦାନ ଅଭାବରୁ ଏକ ଛାତ୍ରାବାସ ଅଧାପନ୍ତରିଆ ଆବସ୍ଥାରେ ରହିଥିବା ବେଳେ କିଭଳି ପୁଣି ଉକ୍ତ ଛାତ୍ରାବାସର ନିର୍ମାଣ କାର୍ଯ୍ୟ ତୁରନ୍ତ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ। ପରେ ଏଠାରେ ପୁଷ୍ଟି ଉଦ୍ୟାନ ପରିଦର୍ଶନ କରି ଜୈବିକ ସାର ବ୍ୟବହାର କରି କିଭଳି ପୁଷ୍ଟି ଉଦ୍ୟାନ ଦ୍ୱାରା ଗର୍ଭବତୀ ମହିଳା ଏବଂ ଶିଶୁମାନେ ଲାଭ ପାଇପାରିବେ ଏବଂ ପୁଷ୍ଟିକର ଖାଦ୍ୟ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।
ଶେଷରେ ଜାନବାଇ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରି ସେଠାରେ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ କିଭଳି ଭାବେ ଏଠାରେ ଏକ ଏମବିବିଏସ୍ ଡାକ୍ତର ନିଯୁକ୍ତି ଦିଆଯାଇପାରିବ ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ସେହିପରି ପାନୀୟ ଜଳସମସ୍ୟା, ମାଓ ପ୍ରବଣ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ତରାନ୍ୱିତ, ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକ କିଭଳି ଭାବେ ସୁପରିଚାଳିତ ହେବ, ସେଥିନେଇ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ବର୍ତ୍ତମାନ କୋଭିଡ୍-୧୯ରେ କିଭଳି ସାମାଜିକ ଦୂରତା ପାଳନ କରିବା ସହ ମାସ୍କ ପରିଧାନ, ହାତ ଧୋଇବେ, ଆବଶ୍ୟକ ନପଡିଲେ ବାହାରକୁ ନଯିବା ଏବଂ କୋଭିଡ୍-୧୯ ନୀତି ନିୟମକୁ ପାଳନ କରିବାକୁ ସ୍ୱାଭିମାନ ଅଞ୍ଚଳ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୁୟାଁ, ଚିତ୍ରକୋଣ୍ଡା ବିଡିଓ ଲାରିମନ ଖରସେଲ, ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ଆଶିଷ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ବେହେରା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।