ପଡିଆ ବ୍ଲକ ଗସ୍ତ କଲେ ଜିଲ୍ଲାପାଳ : ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ କଲେ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଓ ମାଓପ୍ରବଣ ପଡିଆ ବ୍ଲକର ଦୁର୍ଗମ ଅଂଚଳକୁ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଆଜି ଗସ୍ତ କରିଛନ୍ତି। ଏ ଅବସରରେ ସେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ସମ୍ବନ୍ୱୀତ ଶିଶୁ ବିକାଶ ଯୋଜନା ଭଳି ବହୁ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ନିଲିଗୁଡା ଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଜିଲ୍ଲା ପ୍ରଶାସନ ଦ୍ୱାରା ନୂତନ ଭାବେ ହୋଇଥିବା ଆଦର୍ଶ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ପ୍ରଣାଳୀ , ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସୁଶମ ଖାଦ୍ୟ ବଂଟନ ସହ ଛତୁଆର ମାନ ପରୀକ୍ଷା କରିଥିଲେ।

ପରେ ପଡିଆ ଆଶ୍ରମବିଦ୍ୟାଳୟକୁ ଯିବା ସହ ସେଠାରେ ଆବାସିକ ବିଦ୍ୟାଳୟରେ ରହୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସମସ୍ୟା ସମ୍ପର୍କରେ ଅବଗତ ହୋଇ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ଅତ୍ୟନ୍ତ ଦୂର୍ଗମ ଓ ମାଓପ୍ରବଣ ଅଂଚଳ କୁହାଯାଉଥିବା ପୁଷୁଗୁଡା ଠାରୁ ସିମିଳିବାଂଛା ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଏଠାରେ ରାସ୍ତା ନିର୍ମାଣ ତଦାରଖ ବେଳେ କାର୍ଯ୍ୟରେ ପରିବର୍ତନର ଆବଶ୍ୟକତା ରହିଥିବା ଜିଲ୍ଲାପାଳ ଉପଲବ୍ଧ କରି ପୁନଃ ଆକଳନ କରିବାକୁ ପୂର୍ତବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ପୂର୍ତବିଭାଗ ଦ୍ୱାରା ଦୀର୍ଘଦିନ ହେବ କାର୍ଯ୍ୟ ଚାଲୁଥିବା ଶିଖପାଲ୍ଲୀ ଠାରୁ ପଡିଆ ରାସ୍ତା କାମର ଅଗ୍ରଗତି ନେଇ ଠିକାଦାର ଓ ଅନ୍ୟାନ୍ୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାସ୍ତା ନିର୍ମାଣ ହେଲେ ମାଲକାନଗିରି ଠାରୁ ପଡିଆ ଦୂରତ୍ୱ ପ୍ରାୟ ୪୦ କିଲୋମିଟର କମିଯିବ, ଯାହାଫଳରେ ଲୋକେ ଶିଖପାଲ୍ଲୀ ଠାରୁ ସିଧାସଳଖ ପଡିଆ ବ୍ଲକକୁ ଯାଇପାରିବେ। ସେହିପରି ପଡିଆ ବିଡିଓ ରଘୁନାଥ ମୁଣ୍ଡାରୀଙ୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ଆଦିବାସୀଙ୍କୁ କିଭଳି ସରକାରୀ ଯୋଜନା ପହଂଚିପାରିବ ଏବଂ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁବାଷ ପାତ୍ର ଓ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ।