ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଗୋପାଳନକୁ ପ୍ରୋତ୍ସାହନ ଦେବାସହ ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମବାୟ ସେବା ସମିତି ଜରିଆରେ ଚାଷୀଙ୍କଠାରୁ ଦୁଗ୍ଧ କ୍ରୟ ପାଇଁ ବ୍ୟବସ୍ଥା କରାଯାଉଛି । ଏହିକ୍ରମେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳକୁଦର ଗ୍ରାମରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ଦୁଗ୍ଧ ସମିତି ଗଠନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟ ରଞ୍ଜନ ରାଉତ ପାଳକୁଦରେ ମିଲ୍କ କୁଲର ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ । ଉକ୍ତ ସ୍ଥାନରେ ଦୁଗ୍ଧ ଶିତଳୀକରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତିକୁ ସମ୍ବଲପୁର ଦୁଗ୍ଧ ସମବାୟ ସମିତି ସାଧାରଣ ପରିଚାଳକ ଡା. ସରୋଜ କୁମାର ସାହୁ ସମ୍ମତି ପ୍ରକାଶ କରିଥିଲେ । ଓଡ଼ିଶା ଖଣି ନିଗମ ପକ୍ଷରୁ ଜିଲ୍ଲାକୁ ଆସିଥିବା ଆର୍ôଥକ ସହାୟତାରେ ବାରକୋଟ ବ୍ଲକର କଲା, ରିଆମାଳ ବ୍ଲକର କୁଣ୍ଢେଇଗୋଳା ଏବଂ ତିଳେଇବଣି ବ୍ଲକର ଧୁବଲିପଥରରେ ଆଉ ୩ଟି ଦୁଗ୍ଧ ଶିତଳୀକରଣ କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ୩ଟି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସ୍ଥାନ ଚିହ୍ନଟ କରି ଗୃହ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ମଲ୍ଲିକ, ରିଆମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ଶଙ୍କର ଜୟପୁରିଆ, ବାରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସୋୟ, ତିଳେଇବଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ଓ ଯୋଜନା ବିଭାଗ ଉପନିର୍ଦ୍ଦେଶକ ରାମଚନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।