ସେବା ସମାଜରେ ଜିଲ୍ଲାପାଳ ଏବଂ ଆଶ୍ରମ ସ୍କୁଲରେ ମନ୍ତ୍ରୀ ପାଳିଲେ ଦୀପାବଳି

ରାୟଗଡ଼ା,ଏନ୍ଏନ୍ଏସ୍: ଜନ୍ମ ଦିନ ହେଉ କି ଦଶହରା ଅବା ଦୀପାବଳି ସବୁଠି ଘାରିଛି ‘ମୋ ସରକାର’ର ନିଶା। ସାଧାରଣ ଲୋକଙ୍କ ଆସ୍ଥା ଭାଜନ ସାଙ୍ଗକୁ ନିକଟତର ହୋଇ ଲୋକଙ୍କ ସରକାରକୁ ସାକାର କରିବାରେ ଲାଗିପଡ଼ିଛନ୍ତି ରାଜ୍ୟ ସରକାରକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ। ଦୀପାବଳିରେ ଏଭଳି ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଆରା ଢ଼ଙ୍ଗରେ ଏସଓଏସ ଗ୍ରାମରେ ଦୀପାବଳି ପାଳୁଥିବା ଗଣମାଧ୍ୟମରେ ଆସିବା ପରେ ଜିଲ୍ଲାପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲେ।

ପ୍ରଥମେ ରାୟଗଡ଼ା ଏସଡିପିଓ ତପନ ନାରାୟଣ ରଥ ପୁଲିସ ଅଧିକାରୀଙ୍କ ଗହଣରେ ରାୟଗଡ଼ା ସହର ତଳିର ସେବା ସମାଜ ଅନୁଷ୍ଠାନରେ ଅନାଥ ଶିଶୁଙ୍କୁ ମିଠା ବାଣ୍ଟି ଥିଲେ। ପରେ ସନ୍ଧ୍ୟାରେ ଉକ୍ତ ଅନୁଷ୍ଠାନରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପହଞ୍ଚି ଅନାଥାଶ୍ରମ ଶିଶୁଙ୍କ ସହିତ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ। ତାଙ୍କ ସହ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ପ୍ରମୁଖ।

 

ସେହିଭଳି ବିଷମ କଟକ ବିଧାୟକ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଆବାସିକ ବିଦ୍ୟାଳୟରେ ପହଞ୍ଚି ପିଲାଙ୍କ ସହିତ ଦୀପାବଳି ପାଳିଥିଲେ। ମନ୍ତ୍ରୀ ସାରକା ପ୍ରବଳ ବର୍ଷା ସତ୍ୱେ ରାୟଗଡ଼ା ବ୍ଲକ୍ ଅନ୍ତର୍ଗତ ଭାକୁରଗୁଡ଼ା ଆଶ୍ରମ ସ୍କୁଲକୁ ଯାଇ ଦୀପ ପ୍ରଜ୍ୱଳନ କରିବା ସହ ଦୀପାବଳିର ଶୁଭ କାମନା ଜଣାଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୂହିକ ପ୍ରାର୍ଥନାରେ ଯୋଗଦେଇ ଶାନ୍ତି ଓ ସଂହତି କାମନା କରିଥିଲେ। ପରେ ପିଲାଙ୍କୁ ମିଷ୍ଟାନ୍ନ ବାଣ୍ଟିଥିଲେ। ଶେଷରେ କନ୍ଧମାଲି ଗାଁ’ରେ ଥିବା ମଙ୍ଗଳା ବିଭାଗର ଆଶ୍ରମ ସ୍କୁଲକୁ ଯାଇ ପିଲାଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ଗହଣରେ ବାଣ ଫୁଟାଇ ଦୀପାବଳି ପାଳିଥିଲେ।