ପୁଣି ୧୯ରୁ ଲେଉଟିବ ଥଣ୍ଡା

ଭୁବନେଶ୍ୱର,ଏନ୍ଏନ୍ଏସ୍: ତିନିଦିନର ହାଡ଼ଭଙ୍ଗା ଶୀତ ପରେ ଏବେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଯଦିଓ ଥଣ୍ଡାର ପ୍ରକୋପ ଅଧିକ କମିନାହିଁ କିନ୍ତୁ ପୂର୍ବଅପେକ୍ଷା ବର୍ତ୍ତମାନ ଥଣ୍ଡା କମ୍ ଅନୂଭୁତ ହେଉଛି। ଏଭଳି ପାଗ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିବା ବେଳେ ୧୭ ତାରିଖଠାରୁ ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ହେବାର ଆଶଙ୍କା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ଥିବା ସ୍ଥିତି ଦିନେ ଦୁଇଦିନ ଭିତରେ ପରିବର୍ତ୍ତନ ହେବା ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ପୁଣି ଶୀତ କମିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ସୋମବାର ତୁଳନାରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଅଳ୍ପ କେତେକ ସ୍ଥାନକୁ ଛାଡ଼ିଦେଲେ ପ୍ରାୟତଃ ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିଲା। ତେବେ ଫୁଲବାଣୀରେ ରଜ୍ୟର ତାପମାତ୍ର ସବୁଠାରୁ ତଳେ ଥିବା ବେଳେ ଏଠାରେ ୫.୫ ଡିଗ୍ରୀ ତଳେ ପାରଦ ରହିଥିଲା। ଫଳରେ ଏହି ସ୍ଥାନରେ ପ୍ରବଳ ଶୀତ ଲହରି ଜାରି ରହିଥିଲା।

ସେହିପରି ଅନୁଗୁଳରେ ୭, ଟିଟଲାଗଡ଼ରେ ୭.୬, ଦାରିଙ୍ଗବାଡ଼ି, ସୋନପୁର, ୭ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି। ସେପଟେ ପାଣିପାଗକେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି ଯେ ରାଜ୍ୟରେ ଅଧିକାଶଂ ସ୍ଥାନରେ ପୂର୍ବ ଅପେକ୍ଷା ଥଣ୍ଡା କମିଥିବା ବେଳେ ଦୁଇ ଚାରିଦିନ ପର୍ଯ୍ୟନ୍ତ ଥଣ୍ଡା ବଢ଼ିବାର ସମ୍ଭାବନା ନାହିଁ। ତେବେ ପୂର୍ବଅପେକ୍ଷା ଅଧିକ ଥଣ୍ଡା ଅନୂଭୁତ ନହେଲେ ମଧ୍ୟ ଥଣ୍ଡାର ପ୍ରକୋପ କିନ୍ତୁ ଜଣାପଡ଼ିବ।

ତେବେ ପୁଣି ୧୯ ତାରିଖ ପରେ ଥଣ୍ଡା ଫେରିବାର ସମ୍ଭାବନା ଥିବା ବେଳେ ୧୮ ତାରିଖରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ତେଣୁ ଏହା ପୁଣି ଥଣ୍ଡା କରାଇବ। ସେହିପରି ବର୍ତ୍ତମାନ ଦିନର ତାପମାତ୍ରା ବୃଦ୍ଧି ପାଇବାକୁ ଥିବା ବେଳେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।