ପୁଣି ଥରାଇବ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆସନ୍ତା ୨ ଦିନ ରାଜ୍ୟରେ ଅଧିକ ପରିମାଣରେ ଥଣ୍ଡା ଅନୂଭୁତ ହେବ। ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବ। ଆସନ୍ତା ଦୁଇଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୩-୫ ଡିଗ୍ରୀ ଖସିବାକୁ ଥିବାବେଳେ ଉପକୂଳ ଓଡ଼ିଶାରେ ୨-୩ ଡିଗ୍ରୀ କମିବ। ଏହାସହ ରାଜ୍ୟରେ ଆସନ୍ତା ଦୁଇଦିନ ମଧ୍ୟମରୁ ଘନ କୁହୁଡ଼ି ସମ୍ଭାବନା ରହିଛି। ଫଳରେ ଆସନ୍ତା ୨ ଦିନ ରାଜ୍ୟର କିଛି ଜିଲ୍ଲାରେ ହାଡ଼ଭଙ୍ଗା ଜାଡ଼ ଅନୂଭୁତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

 ଆଗାମୀ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡି ଦେଖିବାକୁ ମିଳିପାରେ। ଆଗାମୀ ତିନିଦିନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କରେ କୁହୁଡି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।