ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ଦାବିରେ ନନ୍ଦନକାନନରେ କଂଗ୍ରେସର ଧାରଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦାରୁଠେଙ୍ଗ ଡମ୍ପିଂୟାର୍ଡରୁ ହରପିସ୍ ଭୂତାଣୁ ବ୍ୟାପୀ ନନ୍ଦନକାନନ ହାତୀଙ୍କ ମୃତ୍ୟୁ ଘଟୁଛି । ତେଣୁ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ଏବଂ ନନ୍ଦନକାନନର ପଶୁପକ୍ଷୀ ସୁରକ୍ଷା ଦାବିରେ ବୁଧବାର କଂଗ୍ରେସ ପକ୍ଷରୁ ନନ୍ଦନକାନନ ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ କରାଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ଶହ ଶହ କର୍ମୀ ଓ ଦାରୁଠେଙ୍ଗ, ପଟିଆ, ରଘୁନାଥପୁର, ଚନ୍ଦକା, ଅନ୍ଧାରୁଆ, ପାଇକେରାପୁର, କଂଟାବାଡ଼, ମେଣ୍ଢାଶାଳ ଅଂଚଳର ବହୁ ଜନସାଧାରଣ ନନ୍ଦନକାନନ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ । କୌଣସି ଅଘଟଣ ଆଶଙ୍କାରେ ନନ୍ଦନକାନନକୁ ଏକ ଘଂଟା ପର୍ୟ୍ୟନ୍ତ ବନ୍ଦ ରଖାଯାଇଥିଲା । ବିକ୍ଷୋଭ ପରେ ନନ୍ଦନକାନନ କର୍ତୃପକ୍ଷଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଶ୍ରୀ ରାଉତରାୟ କହିଥିଲେ ଯେ ଦାରୁଠେଙ୍ଗରେ ଗଦା ହୋଇଥିବା ଅଳିଆ ଓ ଆବର୍ଜନା ନନ୍ଦନକାନନ ପଶୁପକ୍ଷୀ ମୃତ୍ୟୁର ମୁଖ୍ୟ କାରଣ । ଏହି ଡମ୍ପିଂୟାର୍ଡ ସେଠାକାର ପରିବେଶ ପ୍ରଦୁଷଣ କରୁଛି ଏବଂ ନନ୍ଦନକାନନର ପଶୁପକ୍ଷୀମାନଙ୍କ ପାଇଁ ଘାତକ ପାଲଟିଛି । ଡମ୍ପିଂୟାର୍ଡରୁ ନିର୍ଗତ ବର୍ଜ୍ୟ ଜଳ ଭୁଆଷୁଣି ମୌଜାରୁ ବାହାରି ଯୁଝିଆନାଳୀ, ବଡବନ୍ଧ, ଯୁଝଗଡ ଫିଡର ଫାର୍ମ ଦେଇ ନନ୍ଦନକାନନର କାଞ୍ଜିଆ ହ୍ରଦରେ ପଡିଥାଏ ।

କାଞ୍ଜିଆ ହ୍ରଦର ଜଳ ଆଉ ନନ୍ଦନକାନନର ପଶୁପକ୍ଷୀଙ୍କ ପାଇଁ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ ।ଏପରିକି ଏ ଅଂଚଳର ଭୂତଳ ଜଳସ୍ତର ମଧ୍ୟ ଅତି ମାତ୍ରାରେ ପ୍ରଦୁଷିତ ହୋଇଯାଇଛି । ଏହାଦ୍ୱାରା ସେଠାକାର ଜନସାଧାରଣ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଅଳିଆଗଦାରୁ ଜନ୍ମିତ ଭୂତାଣୁ ଦ୍ୱାରା ନନ୍ଦନକାନନର ହାତୀ, ଗଣ୍ଡା, ନୀଳଗାଈ, ହରିଣ, ଧଳା ବାଘ, ଡେଲେରା ମୂଷା, ଓ ଅନ୍ୟାନ୍ୟ ପଶୁପକ୍ଷୀ ମୃତ୍ୟୁବରଣ କରିଥିବା ସ୍ଥଳେ ରାଜ୍ୟ ସରକାର ନିରବ ରହିଛନ୍ତି ।

ଶ୍ରୀ ରାଉତରାୟ କହିଛନ୍ତି ଯେ ଦାରୁଠେଙ୍ଗ ଠାରୁ ଅଳିଆ ଆବର୍ଜନା ଗଦାକୁ ତୁରନ୍ତ ସ୍ଥାନାନ୍ତର କରାଯିବା ସହ ନନ୍ଦନକାନନର ପଶୁପକ୍ଷୀଙ୍କୁ ସୁସ୍ଥ ରଖିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ । ହାତୀ ପ୍ରଭୃତି ମୂଲ୍ୟବାନ ପଶୁ ଏବଂ ପକ୍ଷୀ ମୃତ୍ୟୁବରଣ କରିଛନ୍ତି ଅନ୍ୟ ଜାଗାରୁ ସେହି ମୂଲ୍ୟବାନ ପଶୁପକ୍ଷୀଙ୍କୁ ଆଣି ନନ୍ଦନକାନନରେ ରଖାଯାଉ ବୋଲି ସେ ଦାବି କରିଛନ୍ତି ।

ଏହି କାର୍ୟ୍ୟକ୍ରମରେ ତପନ ଚକ୍ରବର୍ତୀ, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଜୟକୃଷ୍ଣ ମଲିଆ, ରବି ହରିଚନ୍ଦନ, କହ୍ନେଇ ସେଠୀ, ବିକ୍ରମ ସୁନ୍ଦରାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।