ଅଯୋଧ୍ୟାରେ ଗାଈଙ୍କୁ ଶୀତ ଦାଉରୁ ରକ୍ଷା ପାଇଁ ଯୋଗାଇ ଦିଆଯିବ କୋଟ୍

ଅଯୋଧ୍ୟା,ଏଜେନ୍ସି: ଅଯୋଧ୍ୟାର ବିଭିନ୍ନ ଗୋଶାଳାରେ ରଖାଯାଇଥିବା ଗାଈଗୁଡ଼ିକୁ ଶୀତ ଦାଉରୁ ରକ୍ଷା କରିବା ନିମନ୍ତେ ସମ୍ପୃକ୍ତ ନଗର ନିଗମ ଏକ ଅଭିନବ ଯୋଜନା କରିଛନ୍ତି। ଏଥିପାଇଁ ଗୋରୁଗାଈଙ୍କ ନିମନ୍ତେ ଝୋଟରେ ନିର୍ମିତ କୋଟ୍ (ଶୀତବସ୍ତ୍ର) ଯୋଗାଇ ଦିଆଯିବ।

ଅଯୋଧ୍ୟା ନଗର ନିଗମ କମିଶନର୍ ନୀରଜ ଶୁକ୍ଳା କହିଛନ୍ତି, ଏହି ଯୋଜନା ୩-୪ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ପ୍ରଥମତଃ, ବୈଶିଙ୍ଗପୁର ଗୋଶାଳାରୁ ଏହା ଆରମ୍ଭ ହେବ। ଏହି ଗୋଶାଳାରେ ୭ ଶହ ଷଣ୍ଢ ସମେତ ପ୍ରାୟ ୧୨ ଶହ ଗୋରୁଗାଈ ରହିଛନ୍ତି। ପ୍ରାଥମିକ ସ୍ତରରେ ୧୦୦ ଗାଈଙ୍କ ପାଇଁ କୋଟ୍ ବରାଦ କରାଯାଇଛି।

ବାଛୁରିଗୁଡ଼ିକ ପାଇଁ ୩ଟି ଆସ୍ତରଣ ଥିବା କୋଟ୍ ତିଆରି କରାଯିବ। ପ୍ରତି ଗାଈ ବାବଦରେ ୨୫୦ରୁ ୩୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ନଗର ନିଗମ କମିଶନର କହିଛନ୍ତି। ଅଯୋଧ୍ୟାର ମେୟର ରିଷିକେଶ ଉପାଧ୍ୟାୟ କହିଛନ୍ତି, ଗୋସେବା ଉପରେ ଆମର ଅଧିକ ଧ୍ୟାନ ରହିଛି।