ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ: ଦୀର୍ଘ ୯ ମାସ ପରେ ଆଜି ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେବେ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇନ୍ଦ୍ରାବତୀ ମଙ୍ଗଲପୁର ଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ। କରୋନା ମହାମାରୀ ଯୋଗୁଁ ଦୀର୍ଘ ୯ମାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସାଧାରଣ କାର୍ଯ୍ୟକ୍ରମ।

ଆଜି ପୂର୍ବାହ୍ନ ୧୧ଟା ୩୫ ମିନିଟରେ ଜୟପାଟଣା ବ୍ଲକ ମଙ୍ଗଲପୁରରେ ହେଲିକପ୍ଟର ଯୋଗେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ବ୍ୟାପକ ଆୟୋଜନ ସହ ମାଳ ମାଳ ମନ୍ତ୍ରୀ ଓ ବିଧାୟକ କଳାହାଣ୍ଡିରେ ଡେରା ପକାଇଛନ୍ତି। ଏହାପରେ ଭର୍ଚୁଆଲ ମାଧ୍ୟମରେ ଇନ୍ଦ୍ରାବତୀ ମଙ୍ଗଲପୁର ଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ଦ୍ୱାରା ଜୟପାଟଣା, କୋକସରା ଏବଂ ଧର୍ମଗଡ଼ ବ୍ଲକର ୨୫ ହଜାର ୨୭୫ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ। ଏହି ପ୍ରକଳ୍ପ ଦ୍ୱାରା କୋକସରା, ଧର୍ମଗଡ଼ ଓ ଜୟପାଟଣା ବ୍ଲକର ୮୭ଟି ଗାଁର ଚାଷୀ ଓ ସାଧାରଣ ଲୋକେ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ, ଦଳୀୟ ବିଧାୟକ ଓ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ପାଇଁ ନିର୍ମାଣ କରାଯାଇଛି ୩ଟି ଷ୍ଟେଜ୍। କେବଳ କୋଭିଡ ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ହିଁ ସଭା ସ୍ଥଳକୁ ଯାଇପାରିବେ। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ସମାବେଶକୁ ୪୦ଟି ପଞ୍ଚାୟତରେ ସିଧା ପ୍ରସାରଣ କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରାୟ ୨୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।