ଆଜି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ୧.୬୭ ଲକ୍ଷ ହିତାଧିକାରୀଙ୍କୁ ବାଣ୍ଟିବେ ସ୍ମାର୍ଟକାର୍ଡ

କନ୍ଧମାଳ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପୂର୍ବାହ୍ନ ୧୧ଟାରେ ଫୁଲବାଣୀସ୍ଥିତ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏହାସହିତ ସେ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ।

କନ୍ଧମାଳ ଜିଲ୍ଲାର ପ୍ରାୟ ୧ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ଏହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ। ସେହିପରି ରବିବାର ପଞ୍ଚାୟତିରାଜ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଫୁଲବାଣୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ଚୂଡାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୩ ପ୍ଲାଟୁନ ପୁଲିସ ଫୋର୍ସ ସହ ଅଫିସର ଏବଂ ଏସଓଜି, ଡିଭିଏଫ, ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି।