୧୫୦୦ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ, ସୃଷ୍ଟି ହେବ ୩,୭୭୩ ନିଯୁକ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିଳ୍ପାୟନ ଦିଗରେ ଦ୍ରୁତ ବେଗରେ ବଢ଼ୁଛି ଓଡ଼ିଶା। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଆଉ ୧୪ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ। ଏଥିରୁ ୩ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଏବଂ ୧୧ଟିର ଶିଳାନ୍ୟାସ ହେବ। ୧୫୩୭ କୋଟି ନିବେଶ ସମ୍ବଳିତ ଏହି ପ୍ରକଳ୍ପଗୁଡ଼ିକ ଜରିଆରେ ୩,୭୭୩ ନିଯୁକ୍ତି ସୃଷ୍ଟି ହେବ।

ସୂଚନା ଅନୁସାରେ, ବଲାଙ୍ଗିର, ଝାରସୁଗୁଡା, ଖୋର୍ଦ୍ଧା, ସୁନ୍ଦରଗଡ, ଜଗତସିଂହପୁର ଏବଂ କଟକ ଆଦି ୬ଟି ସ୍ଥାନରେ ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ ହେବ। ୫୦ କୋଟି ଟଙ୍କା ନିବେଶରେ ୱାଇଲ୍ଡ ଲୋଟସ୍‌ ଫ୍ୟାସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଏକଗାର୍ମେଣ୍ଟ ୟୁନିଟ୍‌କୁ ଖୋର୍ଦ୍ଧାରେ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ମାଧ୍ୟମରେ ୭୦୦ ମହିଳାଙ୍କୁ ନିଯୁକ୍ତି ମିଳିବ। ବଲାଙ୍ଗିରରେ ଆଦିତ୍ୟ ବିର୍ଲା ରିନ୍ୱେବଲ୍ସର ଏକ ୨୫ ମେଗାୱାଟ ସୌର ପ୍ଲାଣ୍ଟ ଉଦଘାଟନ କାର୍ଯ୍ୟକ୍ରମ ଏଜେଣ୍ଡାରେ ଅଛି। ଝାରସୁଗୁଡାରେ ରୁନାୟା ରିଫାଇନିଂ ଏଲଏଲପିର ଏକ ପ୍ରକଳ୍ପ ଉଦଘାଟନ କରାଯିବ।

ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ କଟକରେ ଅର୍ଣ୍ଣବ କେୟାର ଆଣ୍ଡ୍‌ ଫୁଡ୍‌ର ଏକ ପ୍ରକଳ୍ପ, ଆଷ୍ଟ୍ରାଲ ପଲିଟେକନିକ୍‌ ଲିମିଟେଡ୍‌ (ୟୁନିଟ୍‌ ୨), ଖୋର୍ଦ୍ଧା ଫୁଡ୍‌ ପାର୍କରେ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜର ଏକ ସମ୍ପ୍ରସାରିତ ୟୁନିଟ୍‌, ଜଗତସିଂହପୁରରେ ଇଫକୋର ଏକ ପ୍ରକଳ୍ପ, କଟକରେ ଜୟ ଭାରତ ସ୍ପାଇସେସର ଏକ ପ୍ରକଳ୍ପ, ସୁନ୍ଦରଗଡରେ କେଏଆଇ ଇଣ୍ଟରନ୍ୟାସନାଲର ଏକ ପ୍ରକଳ୍ପ, ଖୋର୍ଦ୍ଧାରେ ନିରେନ କୁମାର ଆନନ୍ଦଙ୍କ ଏକ ପ୍ରକଳ୍ପ, କଟକରେ ପ୍ରତିଷ୍ଠା ଭେଞ୍ଚର୍ସର ଏକ ପ୍ରକଳ୍ପ, ଖୋର୍ଦ୍ଧାରେ ପ୍ରିଣ୍ଟେକ୍‌ ଅଫସେଟ୍‌ର ଏକ ପ୍ରକଳ୍ପ, କଟକରେ ରିନୁଆଲ ଏନଭର୍ଜିକର ଗୋଟିଏ ଏବଂ ସୁପ୍ରିମ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଏକ ପ୍ରକଳ୍ପ ରହିଛି।