କେନ୍ଦ୍ରୀୟ ବଜେଟ: ମୁଖ୍ୟମନ୍ତ୍ରୀଙ୍କ ‘ପ୍ରଶଂସା ଓ ଉଦବେଗ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥାପିତ ବଜେଟ ଉପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍କୁ ନେଇ ତାଙ୍କ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କେନ୍ଦ୍ର ବଜେଟ୍ରେ କେତେକ ଘୋଷଣାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାଗତ କରିଥିବାବେଳେ ରାଜ୍ୟର ପ୍ରମୁଖ ୬ ଟି ପ୍ରମୁଖ ବାଦି ଉପରେ କେନ୍ଦ୍ର ସରକାର ବିଚାର କରିନଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି ।

ସଂସଦରେ ବଜେଟ୍ ଉପସ୍ଥାପନ ହେବା ପରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ପ୍ରଦାନ କରିବା , ଟିକସ ବ୍ୟବସ୍ଥାରେ ରିହାତି ସାମିଲ କରିବା , କପୋରେର୍ଟ ଟିକସ ହ୍ରାସ ଭଳି ସମବାୟ କ୍ଷେତ୍ରରେ ରିହାତି ଟିକସ ହାରକୁ ସଂପ୍ରସାରଣ କରିବାକୁ ଭଳି କେନ୍ଦ୍ର ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ଅଟେ। ପୂର୍ବରୁ ସମବାୟ ସମିତିରୁ ଟିକସ ରିହାତି ଦେବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିବା ବେଳେ ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି କୃଷି ରେଳ ଓ କୃଷି ଉଡ଼ାଣ ନିଷ୍ପତ୍ତି ଯୋଗୁଁ ଉତ୍ପାଦନ ଓ ସାମଗ୍ରୀ ପରିବହନ କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସେହିଭଳି ବୀମା କ୍ଷେତ୍ରରେ ଜମା ରାଶିକୁ ୧ ଲକ୍ଷ ରୁ ୫ ଲକ୍ଷ ଟଙ୍କା ବୃଦ୍ଧି ଓ ଶିକ୍ଷା କ୍ଷେତ୍ରରେ ନୂତନ ଶିକ୍ଷା ନୀତି ଓ ବିଦେଶୀ ପୁଞ୍ଜିନିବେଶ ଭଳି କେନ୍ଦ୍ର ସରକାରଙ୍କ ଘୋଷଣାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । ଅପରପକ୍ଷରେ କେନ୍ଦ୍ରୀୟ ବଜେଟ୍ ରେ କେତେକ ଦିଗ ଉପରେ ଗୁରୁତ୍ୱ ଦିଆଯାଇନଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ସମସ୍ତ ଆବଣ୍ଟିତ ହାର ସମନା ରହିଛି ।

କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡିର ଭାଗିଦାରୀ ପ୍ରାୟ ୫୯,୦୦୦ କୋଟି ଟଙ୍କା ହ୍ରାସ ପାଇଛି । ଯାହାର ପରିଣାମ ସ୍ୱରୂପ ଓଡ଼ିଶା ଭାଗରେ ପଡୁଥିବା ହାର ରେ ପ୍ରାୟ ୩୦୦୦ କୋଟି ଟଙ୍କା ହ୍ରାସ ପାଇବ । ଓଡିଶାରେ ଏକ ଜାତୀୟ ମ୍ୟୁଜିୟମର ଆବଶ୍ୟକତା ରହିଥିବା ବେଳେ ଓଡିଶା ର କୌଣସି ଐତିହାସିକ ସ୍ଥଳିର ବିକାଶ କରିବା ଦିଗରେ ଏହି ବଜେଟ୍ ରେ ବ୍ୟବସ୍ଥା କରାଯାଇନଥିବାକୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି ।

ସେହିଭଳି ପାନୀୟ ଜଳ ଏକ ଜାତୀୟ ପ୍ରଥମିକତା ହୋଇଥିବା ବେଳେ ପାନୀୟ ଜଳ ବାବଦକୁ ଜାତୀୟ ସ୍ତରରେ ମାତ୍ର ୧୧,୫୦୦ କୋଟି ଟଙ୍କା ଅନୁମୋଦନ ହୋଇଛି । ଯଦିଓ ବର୍ତ୍ତମାନ ୩ ଲକ୍ଷ ୬୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି ତେବେ ଏହା ସମୂଦ୍ରକୁ ଶଙ୍ଖେ ମାତ୍ର । କେବଳ ଓଡ଼ିଶାରେ ପାନୀୟ ଜଳ ବାବଦକୁ ୩୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ, ସେନସେକ୍ସ ହୋଉଛି ଏକ ମାପଦଣ୍ଡ ଯାହା ନିବେଶକମାନଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି କରିଥାଏ । ହେଲେ ଏହା ୧୦୦୦ ପଏଣ୍ଟ ହ୍ରାସ ପାଇଛି । ଯେଉଁଥଇପାଇଁ ଏହି କ୍ଷେତ୍ରରେ ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ପୁଞ୍ଜିନିବେଶ କ୍ଷେତ୍ରରେ ସବୁଠାରୁ ବଡକଥା ହୋଉଛି ନିବେଶକଙ୍କ ବିଶ୍ୱାସ । କିନ୍ତୁ ଅଭିବୃଦ୍ଧି ଅଭିବୃଦ୍ଧି ହାର ଏବେ ସବୁଠାରୁ ବଡ ଆହ୍ୱାନ ହୋଇଛି । ଯାହା ଯୁବ ବର୍ଗଙ୍କ ଜୀବନ ଜୀବିକା ଓ ନିଯୁକ୍ତ ସୃଷ୍ଟି କ୍ଷେତ୍ରରେ ବ୍ୟାପକ ପ୍ରଭାବନ ପକାଇବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି।