କେନ୍ଦ୍ର ଅନୁଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, କେନ୍ଦ୍ର ଉପରେ ସାଢ଼େ ୭ ହଜାର କୋଟି ବାକି

-ଆବାସ ଯୋଜନାରେ ବାକି ପଡ଼ିଛି ହଜାର କୋଟି
-ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ବାକି ୩୭୫ କୋଟି
-ମନରେଗା ବାବଦରେ ୪୦୦ କୋଟି ବକେୟା
-ପାନୀୟ ଜଳ ପାଇଁ ୧୮୦ କୋଟିରୁ ମିଳିଲା ୮୦

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ଆର୍ଥିକ ବର୍ଷରେ ରାଜ୍ୟକୁ କେନ୍ଦ୍ର ସରକାର ଦେବାକୁ ଥିବା ଅନୁଦାନ ମଧ୍ୟରୁ ୭ ହଜାର ୫୪୪ କୋଟି ଟଙ୍କା ବକେୟା ରହିଛି। ବିଭିନ୍ନ ଲୋକାଭିମୁଖୀ ଯୋଜନା ଯଥା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ଏନ୍ଏସ୍ଏପି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ସମେତ ଅନ୍ୟ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ବାବଦକୁ ରହିଥିବା ବକେୟା ଅର୍ଥ ଏଯାଏଁ ରାଜ୍ୟକୁ ମିଳିନାହିଁ। ଏନେଇ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିୟମିତ ଭାବେ କେନ୍ଦ୍ରୀୟ ଅନୁଦାନକୁ ଅନୁଧ୍ୟାନ କରିବା ସହ ତାଙ୍କ ନଜରକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶନିବାର ଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ବିଭିନ୍ନ ଯୋଜନାରେ ବକେୟା ଥିବା କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ୫-ଟିର କାର୍ଯ୍ୟକାରିତାକୁ ନେଇ ବୈଠକରେ ଆଲୋଚନା କରିବା ସହ ଏହା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଆବାସିକ ଓ ସ୍ୱତନ୍ତ୍ର ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଦିଲ୍ଲୀରେ ଓଡ଼ିଶାର ସାଂସ୍କୃତିକ ଭବନ ନିର୍ମାଣ ପାଇଁ ଜମି ଚିହ୍ନଟ କରିବାକୁ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ଉପରେ ରାଜ୍ୟର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦୦୦ କୋଟିରୁ ଊଦ୍ଧ୍ୱର୍ ଅର୍ଥ ବାକି ପଡ଼ିଥିବା ବେଳେ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ବାବଦରେ ୩୭୫ କୋଟି, ମନରେଗା ଯୋଜନା ବାବଦରେ ୪୦୦ କୋଟି ଟଙ୍କା ବକେୟା ରହିଛି। ସେହିପରି ରାଜ୍ୟ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ବାବଦରେ ରାଜ୍ୟ ବଜେଟରୁ ୩୦୦୦ କୋଟି ଟଙ୍କା ବ୍ୟୟ କରିଥିବା ବେଳେ କେନ୍ଦ୍ର ସରକାର ୧୮୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ମାତ୍ର ମଞ୍ଜୁର ହୋଇଥିବା ଟଙ୍କାରୁ ରାଜ୍ୟକୁ ଏପର୍ଯ୍ୟନ୍ତ ୮୦ କୋଟି ଟଙ୍କା ମିଳିଛି। ସେହିପରି ସ୍ମାର୍ଟ ସିଟି ଅଞ୍ଚଳରେ ଗରିବୀ ନିରାକରଣ କାର୍ଯ୍ୟକ୍ରମ ବାବଦକୁ କେନ୍ଦ୍ର ସରକାର ୨୦୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ମାତ୍ର ୬ କୋଟି ଟଙ୍କା ପ୍ରଦାନ କରିଛନ୍ତି।