ଦୁର୍ଘଟଣା ହ୍ରାସ ପାଇଁ କଠୋର ହେଲେ ସରକାର, ୧୮ ସ୍ଥାନରେ ହେବେ ପୁଲିସ୍ ମୁତୟନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାତୀୟ ରାଜପଥରୁ ଦୂର୍ଘଟଣା ହ୍ରାସ ପାଇଁ ରାଜ୍ୟ ସରକାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ୧୮ ଟି ଦୁର୍ଘଟଣାପ୍ରବଣ ସ୍ଥାନରେ ‘ପାଟ୍ରୋଲିଂ ବ୍ୟବସ୍ଥା’ କରାଯାଇଛି। ସୋମବାର ଭିଡିିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ସେ କହିଥିଲେ, ଓଡ଼ିଶା ସରକାର ଦୁର୍ଘଟଣା କମାଇବାକୁ ଅନେକ ଜରୁରି ନିଷ୍ପତ୍ତି ନେଇଛନ୍ତି। ସଡ଼କ ଦୂର୍ଘଟଣାରେ କୌଣସି ଜୀବନ ଯେପରି ନଯାଏ, ସେଥିପ୍ରତି ସରକାର ସଚେତନ। ସେଥିପାଇଁ ଏବେ ‘ପାଟ୍ରୋଲିଂ ବ୍ୟବସ୍ଥା’କୁ କଡ଼ାକଡ଼ି କରାଯାଇଛି। ରାଜ୍ୟ ସରକାର ମୋଟ୍ ୩୬ଟି ‘ପାଟ୍ରୋଲିଂ’ୟୁନିଟ୍ ଚିହ୍ନଟ କରିଥିଲାବେଳେ ପ୍ରଥମ ପର୍ଯ୍ୟାୟରେ ୧୮ଟି ସ୍ଥାନରେ ଏବେ ପୁଲିସ୍ ମୁତୟନ ହେବେ। ପରେ ବାକି ୟୁନିଟ୍ କାର୍ଯ୍ୟକ୍ଷମ ହେବ। ଏସବୁ ଦୁର୍ଘଟଣାପ୍ରବଣ ସ୍ଥାନରେ ପରିବହନ ଆଇନ ଲାଗୁ ସହିତ ଡ୍ରାଇଭରଙ୍କୁ ସଚେତନ କରାଯିବ।
ଯେଉଁ ୧୮ଟି ‘ପାଟ୍ରୋଲିଂ ୟୁନିଟ୍’ ଚିହ୍ନଟ ହୋଇଛି, ସେଗୁଡ଼ିକ ହେଉଛି ଖୋର୍ଦ୍ଧା ପୁଲିସ ଜିଲ୍ଲାରେ ରମ୍ଭା-ଛତ୍ରପୁର, ଛତ୍ରପୁର-ଗିରିଶୋଳା, ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଗୋପାଳପୁର-ଗୋଳନ୍ଥରା, ପିତାପଲ୍ଲୀ-ତାପଙ୍ଗ,ଟାଙ୍ଗୀ ପିଏସ୍-ତାପଙ୍ଗ ଚେକ୍ ଗେଟ୍, ଅନଗୋଳ ଜିଲ୍ଲାରେ ଅନୁଗୋଳ ଟାଉନ-ଜରପଡ଼ା, ବରଗଡ଼ ଜିଲ୍ଲାରେ ବରଗଡ଼ ସୀମା-ସୋହେଲା, ରାଉରକେଲା ପୁଲିସ୍ ଜିଲ୍ଲାରେ ପାନପୋସ୍ ଛକ-କାଂଶବାହାଲ, ବାଲେଶ୍ୱର ଜିଲ୍ଲାରେ ରୁପ୍ସା-ସେରଗଡ଼ ଟୋଲ ଗେଟ୍, ଭଦ୍ରକ ଜିଲ୍ଲାରେ ବାଲେଶ୍ୱର ସୀମା-ନଳାଙ୍ଗ ଓ ଯାଜପୁର ସୀମା-ନଳାଙ୍ଗ। ସେହିପରି ପୁରୀ ଜିଲ୍ଲାରେ ସତ୍ୟବାଦୀ-ପୁରୀ ଟାଉନ, ଯାଜପୁର ଜିଲ୍ଲାରେ ଭଦ୍ରକ ସୀମା- ଜାରକା ଓ କୁଆଖିଆ-ଛତିଆ ଏବଂ କଟକ ପୁଲିସ ଜିଲ୍ଲାରେ ଛତିଆ-ମଙ୍ଗୁଳି ଓ ଅଢ଼ାଳ-ବଳଢିଅବନ୍ଧ ୟୁନିଟ୍ରେ ବ୍ୟାପକ ପୁଲିସ ମୁତୟନ ହେବେ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟକରିଛନ୍ତି। ବୈଠକରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ପୁଲିସ ଡିଜି ଅଭୟ, ମୁଖ୍ୟମନ୍ତ୍ରୀଙ୍କ (୫-ଟି) ସଚିବ ଭି କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।