ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ-୧୯ ପରିସ୍ଥିତିରେ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶାରେ ମାର୍ଚ୍ଚ ୧୭ରୁ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖାଯାଇଥିବା ବେଳେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ପର୍ଯ୍ୟନ୍ତ ଓଡ଼ିଶ‌ାରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖାଯାଇଛି। ଅନଲାଇନ ପାଠ ପଢ଼ାଇବାର ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ପଢ଼ାଇ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ତେଣୁ ୨୦୨୦-୨୧ ବୋର୍ଡ ଓ ଏଚଏସଇ ପରୀକ୍ଷା ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି।

ଚିଠିରେ ଲେଖାଯାଇଛି ଯେ, ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସରକାର କିଛି ସ୍ପଷ୍ଟ କରୁନଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ୱନ୍ଦ୍ୱରେ ରହିଛନ୍ତି। ସବୁ ଉଚ୍ଚ ଶିକ୍ଷା ଏହି ପରୀକ୍ଷା ସହ ଜଡ଼ିତ ଥିବାରୁ ଏନେଇ ଜାତୀୟ ଗାଇଡଲାଇନର ଆବଶ୍ୟକତା ରହିଛି। ଯାହା ରାଜ୍ୟକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ସାହାଯ୍ୟ କରିବ। ଏହାସହ ପରୀକ୍ଷା ତାରିଖ ଆସିଲେ ସେହି ଅନୁସାରେ ପ୍ରସ୍ତୁତ ହେବା ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହା ସାହାଯ୍ୟ କରିବ। ତେଣୁ ମୁଁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଯେ, ୨୦୨୦-୨୧ ବୋର୍ଡ ଓ ଏଚଏସଇ ପରୀକ୍ଷା କରିବା ନେଇ ସ୍ପଷ୍ଟ କରୁ।