ଦିଲ୍ଲୀରେ ଜମି ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିଲ୍ଲୀରେ (ଓଡ଼ିଶା କଲଚରାଲ ସେଂଟର ଆଣ୍ଡ ଲାଇବ୍ରେରୀ) ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଏବଂ ପାଠାଗାର ପାଇଁ ଜମି ଯୋଗାଇଦେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦିପ୍ ସିଂ ପୁରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଦିଲ୍ଲୀରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ପାଇଁ ଏହା ବିଶେଷ ସହାୟକ ହେବ ବୋଲି ସେ ଦର୍ଶାଇଛନ୍ତି ।

ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଏକ ଐତିହ୍ୟ ଏବଂ ସଂସ୍କୃତି ସମ୍ପନ୍ନ ରାଜ୍ୟ । ଏହି ରାଜ୍ୟରେ ସଂଖ୍ୟାଧିକ ଆଦିବାସୀ ଏବଂ ଚାଷୀ ପରିବାର ରହିଛନ୍ତି । ଓଡ଼ିଆ ଭାଷାକୁ ଏକ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ଦିଆଯାଇଛି । ଦେଶର ୬ଟି ଶାସ୍ତ୍ରୀୟ ଭାଷା ଭିତରେ ଓଡ଼ିଆ ଅନ୍ତର୍ଭୁକ୍ତ ଅଛି । ଓଡ଼ିଶାର ଖାଦ୍ୟ, ବୟନଶିଳ୍ପ, ହସ୍ତଶିଳ୍ପ, ହସ୍ତତନ୍ତ ସମେତ ଆଦିବାସୀ କଳା, ସଂସ୍କୃତି ସର୍ବବିଦିତ । ଏହାର ସ୍ୱତନ୍ତ୍ରତା ରହିଛି । ଦିଲ୍ଲୀରେ ରହୁଥିବା ଓଡ଼ିଆ ମାନଙ୍କର ତାଙ୍କର ନିଜର ଦକ୍ଷତା ଏବଂ କଳାକୃତି ପ୍ରଦର୍ଶନ କରିବା ପାଇଁ ଉପଯୁକ୍ତ ସ୍ଥାନ ନାହିଁ ।

ବିଭିନ୍ନ ପ୍ରକାରର ଥିବା ନିଜର କଳା, ସଂସ୍କୃତି, ଭାସ୍କର୍ୟ୍ୟ ଆଦି ପ୍ରଦର୍ଶନ କରିବା ପାଇଁ ଜମିର ଆବଶ୍ୟକତା ପଡ଼ୁଛି । ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ର ରାଜ୍ୟ ମାନଙ୍କୁ ଭବନ ଓ ନିବାସ ନିର୍ମାଣ ପାଇଁ ଜମି ଯୋଗାଇ ଦିଆଯାଇଥିଲେ ହେଁ ତାଙ୍କର କଳା ସଂସ୍କୃତି ଏବଂ ସବୁ ସାମାଜିକ ଘଟଣାବଳୀକୁ ପ୍ରଦର୍ଶନ କରିବା ପାଇଁ ଜମି ଯୋଗାଇ ଦିଆଯାଇଛି । ଓଡ଼ିଶାକୁ ସେହିଭଳି ଭାବେ ଜମି ଯୋଗାଇ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି ।