ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ବାସୀଙ୍କ ପାଇଁ ୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅପର ଇନ୍ଦ୍ରାବତୀ ବହୁମୁଖୀ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଛି। ଦୀର୍ଘ ୯ ମାସ ପରେ ମୁଖ୍ୟମନ୍ତ୍ରୀ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ମଙ୍ଗଲପୁରରେ ଏହି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଜୟପାଟଣା, କୋକସରା ଏବଂ ଧର୍ମଗଡ଼ ବ୍ଲକର ୨୫ ହଜାର ୨୭୫ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ। ଏହି ପ୍ରକଳ୍ପ ଦ୍ୱାରା କୋକସରା, ଧର୍ମଗଡ଼ ଓ ଜୟପାଟଣା ବ୍ଲକର ୮୭ଟି ଗାଁର ଚାଷୀ ଓ ସାଧାରଣ ଲୋକେ ଉପକୃତ ହେବେ।

ଏଥିସହିତ ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ଅନ୍ୟାନ୍ୟ ୧୦୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏଥିରେ ବାନ୍ଦିଗାଁ ଠାରେ ଆଦର୍ଶ ବଜାର କୃଷିକ୍ଷେତ୍ର ନିର୍ମାଣ, ଭବାନୀପାଟଣା ସ୍ଥିତ ଆଦର୍ଶ ମଣ୍ଡି ଉନ୍ନତୀକରଣ, କେସିଙ୍ଗା ସ୍ଥିତ ଆଦର୍ଶ ମଣ୍ଡିର ଉନ୍ନତୀକରଣ, ନିୟନ୍ତ୍ରିତ ବଜାର କମିଟି, ଭବାନୀପାଟଣା ଅନ୍ତର୍ଗତ ବିଶ୍ୱନାଥପୁର ବୃହତ କୃଷି ସମବାୟ ସମିତିର ବହୁମୁଖୀ ଗୋଦାମଗୃହ ପ୍ରତିଷ୍ଠା, ନିୟନ୍ତ୍ରିତ ବଜାର କମିଟି କେସିଙ୍ଗା ଅନ୍ତର୍ଗତ ତୁଣ୍ଡଲା ପାକ୍ସର ବହୁମୁଖୀ ଗୋଦାମଗୃହ ପ୍ରତିଷ୍ଠା, କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଆନ୍ତଃଗୃହ ରାଜ୍ୟ ପ୍ରକୋଷ୍ଠ ନିର୍ମାଣ ପ୍ରଭୃତି ପ୍ରକଳ୍ପ ରହିଛି।