ଭୁବନେଶ୍ୱର,ଏନ୍ଏନ୍ଏସ୍: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏ ନେଇ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇବା ସହ ଏହା ଓଡ଼ିଶା ପାଇଁ ବଡ଼ କ୍ଷତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଶେଷ ଦର୍ଶନ ସହ ଶୋକ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଅନନ୍ତ ଜେନା ଓ ପ୍ରଣବ ପ୍ରକାଶ ଦାସ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ପୂର୍ବାତନ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଶେଷ ଦର୍ଶନ କରିବା ସହ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।
ଆଜି ପାରଳାଖେମୁଣ୍ଡି ମହାରାଜା ଗୋପିନାଥ ଗଜପତିଙ୍କ ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଛି । ଅସୁସ୍ଥତା ଯୋଗୁଁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । ବ୍ରହ୍ମପୁରରୁ ୨ଥର ଲୋକସଭା ସାଂସଦ ଥିଲେ ପାରଳା ମହାରାଜା ।