ୟୁନେସ୍କୋ କଳିଙ୍ଗ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୭ର ୟୁନେସ୍କୋ କଳିଙ୍ଗ ପୁରସ୍କାର ବିଜେତା ଏରିକ୍ ଜାକ୍ୟୁମିନ୍ଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଇନଷ୍ଟଚ୍ୟୁଟ୍ ଅଫ୍ ଫିଜିକ୍ସ ଅଡିଟୋରିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜ୍ଞାନକୁ ଲୋକପ୍ରିୟ କରିବା ଲାଗି ୧୯୫୧ ମସିହାରେ ବିଜୁ ପଟ୍ଟନାୟକ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା କରିଥିଲେ; ଯାହାକି ବର୍ତ୍ତମାନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପରେ ବିଶ୍ୱର ତୃତୀୟ ସର୍ବ ବୃହତ ସମ୍ମାନ ଭାବେ ବିବେଚିତ ହେଉଛି। ରାଜ୍ୟ ତଥା ଦେଶରେ କିପରି ବିଜ୍ଞାନକୁ ବ୍ୟବହାର କରାଯାଇ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ଜଡ଼ିତ କରାଯାଇ ପାରିବ ସେଥିପାଇଁ ବିଜୁବାବୁ ସବୁ ବେଳେ ଚେଷ୍ଟା କରୁଥିଲେ।

ବିଜ୍ଞାନର ବିକାଶରେ ହିଁ ଦେଶର ପ୍ରଗତି ସମ୍ଭବ ହୋଇପାରିବ। ଏହାକୁ ନଜରରେ ରଖି ବିଜୁ ବାବୁ ମାତ୍ର ୩୪ ବର୍ଷ ବୟସରୁ ଏହି ପୁରସ୍କାର ପ୍ରଚଳନ କରିଥିଲେ। ତେଣୁ ତାଙ୍କର ପଦାନୁସରଣ କରି ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଏରିକ୍ ବିଶ୍ୱର ଜଣେ ବିଶିଷ୍ଠ ସାଇନ୍ସ କମ୍ୟୁନିକେଟର ଭାବେ ପରିଚିତ। ସେ ବିଶ୍ୱର ବିଭିନ୍ନ ସ୍ଥାନରେ ସାଇନ୍ସ ସେଣ୍ଟର ଓ ମ୍ୟୁଜିୟମ ପ୍ରତିଷ୍ଠା କ୍ଷେତ୍ରରେ ବଡ଼ ଭୂମିକା ନିଭାଇଛନ୍ତି। ଏହି ପୁରସ୍କାର ପାଇବାରେ ଏରିକ୍ ବେଲଜିୟମର ପ୍ରଥମ ବୈଜ୍ଞାନିକ ହୋଇଥିବା ବେଳେ ସେ ସବୁଠାରୁ କନିଷ୍ଠ ପୁରସ୍କାର ବିଜେତା। ତେଣୁ ସେ ନିଜର ଖୁସି ବ୍ୟକ୍ତ କରିବା ସହିତ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଛନ୍ତି ଯେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦ଟି ସାଇନ୍ସ ପାର୍କ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ୬ଟି ପ୍ଲାନେଟୋରିୟମ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଯୋଜନା ରହିଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ଷ୍ଟଚ୍ୟୁଟ୍ ଅଫ୍ ସାଇନ୍ସ ଓ ନାଇଜର୍ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଓ ମ୍ୟାନେଜିଂ ଟ୍ରଷ୍ଟି ପ୍ରଫୁଲ୍ଲ ସାମଲଙ୍କ ସମେତଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ୧୯୫୧ ମସିହାରୁ ପ୍ରଚଳିତ ହୋଇ ଆସୁଥିବା ଏହି ପୁରସ୍କାରଟି ପ୍ରଥମେ କଳିଙ୍ଗ ଓ ପରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ନାମରେ ନାମିତ ହୋଇଛି।