ବୁଲବୁଲ କ୍ଷୟକ୍ଷତି ସମୀକ୍ଷା ସହ ପ୍ୟକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ଲୋକସେବା ଭବନରେ ବୁଲବୁଲ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ନଭେମ୍ବର ୧୮ତାରିଖ ସୁଦ୍ଧା ରିପୋର୍ଟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପ୍ରଦାନ କରିବା ପାଇଁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ସହାୟତା ରାଶି ବଣ୍ଟନ କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏ ନେଇ ସମସ୍ତ ବିବରଣୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସର୍ବସାଧାରଣରେ ଅବଗତି କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଏହି ସହାୟତା ରାଶି ସିଧାଶଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରିବା ସହ ଜିଲ୍ଲା ପ୍ରଶାସନ ୱେବସାଇଟରେ ଯେପରି ସମସ୍ତ ତଥ୍ୟ ଉପଲବ୍ଧ ହେବ ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଯୋଗ୍ୟ ଯେ ବୁଲବୁଲ ବାତ୍ୟାରେ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସରକାରୀ ଓ ଘରୋଇ ସମ୍ପତ୍ତିରେ ବ୍ୟାପକ କ୍ଷତି ଘଟିଛି। ସେହିପରି ଉକ୍ତ ଅଞ୍ଚଳମାନଙ୍କର ଫସଲ ନଷ୍ଟ ହୋଇଥିବାବେଳେ ବିଦ୍ୟୁତ୍ ଭିତ୍ତିଭୁମୀ କ୍ଷତିଗ୍ରସ୍ତ ହୋଇଛି। ତେବେ ଆଗାମୀ ଦୁଇଦିନ ମଧ୍ୟରେ ଭିତ୍ତିଭୂମିର ପୁନରୁଦ୍ଧାର ସହିତ ବିଦ୍ୟୁତ୍ ସଂଯୋଗ ନ ହେବା ପର୍ଯ୍ୟନ୍ତ ଜେନେରେଟର ବ୍ୟବହାର କରି ଜଳ ଯୋଗାଣ ଓ ଆବଶ୍ୟକ ସ୍ଥଳେ ପାଣି ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବୁଲବୁଲ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ସେଗୁଡ଼ିକ ହେଲା:-

୧-ଅଣ ଜଳସେଚିତ ଜମି ପାଇଁ ୩୩ ପ୍ରତିଶତ ବା ତଦୁର୍ଦ୍ଧ ଫସଲ କ୍ଷତିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ଟଙ୍କା ଇନପୁଟ ସବସିଡି, ଜଳସେଚିତ ଜମିରେ ଏହି ସହାୟତା ପରିମାଣ ହେକ୍ଟର ପିଛା ୧୩,୫୦୦ଟଙ୍କା ଏବଂ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮,୦୦୦ଟଙ୍କା ପ୍ରଦାନ କରାଯିବ।

୨-କୌଣସି କ୍ଷେତ୍ରରେ ସବୁଦିନିଆ ଫସଲ ପାଇଁ ଇନପୁଟ ସବସିଡ଼ି ପରିମାଣ ୨୦୦୦ଟଙ୍କାରୁ କମ ଏବଂ ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ୧୦୦୦ଟଙ୍କା କମ୍ ହେବ ନାହିଁ।

୩-ରବି ଫସଲ ୨୦୧୯-୨୦ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଡାଲି ଓ ତୈଳ ଜାତୀୟ ଫସଲ ପାଇଁ ୫୦ହଜାର ବିହନ ମିନି କିଟ୍ ପ୍ରଦାନ କରାଯିବ।

୪-କ୍ଷତିଗ୍ରସ୍ତ ଜିଲ୍ଲାରେ ୪୫ହଜାର ଏକର ଜମିରେ ଡେମୋନେଷ୍ଟ୍ରେସନ କାର୍ଯ୍ୟକ୍ରମ କରାଯିବ।

୫-କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତିରେ ୩୦୦୦ ସ୍ପେୟାର ପ୍ରଦାନ କରାଯିବ। ବ୍ୟାଟେରୀ ଚାଳିତ ସ୍ପେୟାର କ୍ଷେତ୍ରରେ ସର୍ବାଧିକ ରିହାତି ୩୮୦୦ଟଙ୍କା ଏବଂ ହସ୍ତଚାଳିତ ସ୍ପେୟାର ପାଇଁ ସର୍ବାଧିକ ରିହାତି ୭୫୦ଟଙ୍କା।

୬-ରବି ୨୦୧୯-୨୦ ପାଇଁ ୧୦ହଜାର ପରିବା ମିନି କିଟ୍ ପ୍ରଦାନ କରାଯିବ।

୭-ପ୍ରତ୍ୟେକ ଚାଷୀଙ୍କୁ ୩୦ୟୁନିଟ୍ ପର୍ଯ୍ୟନ୍ତ ପାନବରଜର ପୁନରୁଦ୍ଧାର ପାଇଁ ୧୫ହଜାର ଟଙ୍କା ଦିଆଯିବ।

୮-୫୦ ୟୁନିଟ୍ ପର୍ଯ୍ୟନ୍ତ କ୍ଷତି ପାଇଁ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ଦିଆଯିବ।

୯-ରବି ପାଇଁ ତୁରନ୍ତ ଉନ୍ନତ ବିହନ ଓ ଅନ୍ୟ କୃଷି ସାମଗ୍ରୀ ଦେବାପାଇଁ ପଦକ୍ଷେପ ନିଆଯିବ।

୧୦-ଫସଲ ବୀମା ଯୋଜନାରେ ସୁବିଧା ଚାଷୀଙ୍କୁ ଶୀଘ୍ର ଦେବା ପାଇଁ ଫସଲ କଟା ପରୀକ୍ଷଣ କରାଯାଇ ବୀମା ପରିମାଣ ଚୂଡାନ୍ତ କରାଯିବ।

୧୧-୩୩ ପ୍ରତିଶତ ବା ତଦୁର୍ଦ୍ଧ କ୍ଷତି ହୋଇଥିବା ଚାଷୀଙ୍କୁ ରବି ୨୦୧୯ ପାଇଁ ଦିଆଯାଇଥିବା ସ୍ୱଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ।

୧୨- କ୍ଷୀର ଦେଉଥିବା ଗାଈ, ମଇଁଷି ପାଇଁ ସହାୟତା ପ୍ରତି ପ୍ରାଣୀ ପାଇଁ ୩୦ ହଜାର ଟଙ୍କା ଏବଂ କ୍ଷୀର ଦେଉ ନଥିବା ଗାଈ ବା ମଇଁଷି ପାଇଁ ୨୫ହଜାର ଟଙ୍କା ଲେଖାଏଁ(୩ଟି ପ୍ରାଣୀ ପର୍ଯ୍ୟନ୍ତ), ବାଛୁରୀ ପାଇଁ ୧୬ହଜାର (୬ଟା ପ୍ରାଣୀ ପର୍ଯ୍ୟନ୍ତ), ଛେଳି-ମେଣ୍ଢା ପାଇଁ ୩୦୦୦ଟଙ୍କା(୩୦ଟି ପ୍ରାଣୀ ପର୍ଯ୍ୟନ୍ତ), କୁକୁଡା ପାଇଁ ମୁଣ୍ଡପିଛା ୫୦ଟଙ୍କା(ସର୍ବୋଚ୍ଚ ୫ହଜାର ଟଙ୍କା) ଦିଆଯିବ।

୧୩-ଆଂଶିକ କ୍ଷତି ହୋଇଥିବା ଡଙ୍ଗା ପାଇଁ ୪୧୦୦ଟଙ୍କା, ଆଂଶିକ କ୍ଷତି ହୋଇଥିବା ଜାଲ ପାଇଁ ୨୧୦୦ଟଙ୍କା, ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ଡଙ୍କା ପାଇଁ ୯୬୦୦ଟଙ୍କା ଏବଂ ସମ୍ପୂର୍ଣ୍ଣ କ୍ଷତି ହୋଇଥିବା ଜାଲ ପାଇଁ ୨୬୦୦ଟଙ୍କା ସହାୟତା ଦିଆଯିବ।

୧୪- ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଛା ୧୨,୨୦୦ଟଙ୍କା ଏବଂ ଇନପୁଟ ସବସିଡି ଭାବରେ ହେକ୍ଟର ପିଛା ୮୨୦୦ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।