ଭାରତୀୟ ରେଳବାଇର ନୂତନ ବ୍ୟବସ୍ଥା: ୪୦ଟି ରୁଟ୍‌ରେ ଆରମ୍ଭ ହେଲା ‘କ୍ଲୋନ୍ ଟ୍ରେନ୍‌’

ନୂଆଦିଲ୍ଲୀ,ଏଜେନ୍ସି: କୌଣସି ରୁଟ୍‌ରେ ଚଳାଚଳ କରୁଥିବା ଟ୍ରେନ୍‌ରେ ସଂରକ୍ଷଣ ସିଟ୍ ଶେଷ ହେବା ପରେ ଅଧିକାଂଶ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିଶେଷକରି ୱେଟିଂ ଲିଷ୍ଟରେ ରହିଥିବା ଏବଂ ସଂରକ୍ଷଣ ନିଶ୍ଚିତ ହୋଇନଥିବା ଯାତ୍ରୀମାନେ ନାନା ହଇରାଣ ହରକତ୍‌ର ସମ୍ମୁଖୀନ ହୋଇଥିଲା ବେଳେ ଶେଷ ମୁହୂର୍ତ୍ତରେ ଯାତ୍ରା ପାଇଁ ଟିକେଟ କରିଥିବା ଯାତ୍ରୀଙ୍କୁ ଆଦୌ ସଂରକ୍ଷଣ ମିଳିବା ସମ୍ଭବ ହୋଇନଥାଏ। ଏହାକୁ ଦୃଷ୍ଟିରେ ରଖି ଯେଉଁ ରୁଟ୍‌ରେ ଯାତ୍ରା ପାଇଁ ସବୁଠୁ ଅଧିକ ଚାହିଦା ରହିଛି ସେହି ରୁଟ୍‌ରେ ସୋମବାର ଠାରୁ ରେଳବାଇ ବିଭାଗ ପକ୍ଷରୁ ‘କ୍ଲୋନ୍ ଟ୍ରେନ’ ଚଳାଚଳ ଆରମ୍ଭ କରାଯାଇଛି।

ଅର୍ଥାତ୍ ଗୋଟିଏ ନିର୍ଦ୍ଦିଷ୍ଟ ରୁଟ୍ ଏବଂ ଗନ୍ତବ୍ୟସ୍ଥଳ ପାଇଁ ଚଳାଚଳ କରୁଥିବା ଟ୍ରେନ୍‌ରେ ଯଦି ସଂରକ୍ଷଣ ନଥାଏ ଏବଂ ସେହି ରୁଟ୍‌ରେ ଆହୁରି ଅଧିକ ଯାତ୍ରୀ ଯାତ୍ରା କରିବାର ଚାହିଦା ରହିଥାଏ ତେବେ ସେହି ମୂଳ ଟ୍ରେନ୍ ସହ ଅତିରିକ୍ତ ଭାବେ ଆଉ ଏକ ଟ୍ରେନ୍ ଚଳାଚଳ କରିବାର ବ୍ୟବସ୍ଥା ହିଁ କ୍ଲୋନ୍ ଟ୍ରେନ। ତେବେ ମୂଳ ଟ୍ରେନ୍‌ର ରହଣି ଏବଂ ସମୟ ସାରଣୀ ତୁଳନାରେ କ୍ଲୋନ୍ ଟ୍ରେନ୍‌ର ବ୍ୟବସ୍ଥା ପୃଥକ୍ ରହିବ ବୋଲି ରେଳବାଇ ବିଭାଗ ପକ୍ଷରୁ କୁହାଯାଇଛି। ମୂଳ ଟ୍ରେନ ଗନ୍ତବ୍ୟସ୍ଥଳରେ ପହଞ୍ଚିବାର ଦୁଇ ତିନି ଘଣ୍ଟା ପୂର୍ବରୁ କ୍ଲୋନ ଟ୍ରେନ ପହଞ୍ଚିବ ବୋଲି କୁହାଯାଇଛି। ବର୍ତ୍ତମାନ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକର ବିଭିନ୍ନ ରୁଟ୍‌ରେ ଏହି ଟ୍ରେନ୍ ଚଳାଚଳ ଆରମ୍ଭ କରିଛି।