ଡାକ୍ତରଖାନା ବଦଳରେ କ୍ଲିନିକରେ ଥିଲେ ଡାକ୍ତର, ଚଢ଼ଉ ପରେ କ୍ଲିନିକ୍‌କୁ ସିଲ କରାଗଲା

ବଲାଙ୍ଗିର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଫାଇଭ୍‍ ଟି ସଚିବଙ୍କ ବିଭିନ୍ନ ହସ୍ପିଟାଲ ଗସ୍ତ କରି ଯାଞ୍ଚ କରୁଥିବାବେଳେ ଏ ନେଇ ଅଧିକାରୀମାନେ ତାଙ୍କ ଦାୟିତ୍ୱକୁ ନେଇ ବେଶ ତତ୍ପର ହୋଇପଡିଛନ୍ତି । ବର୍ଷ ବର୍ଷ ଧରି ପାଥୋ କ୍ଲିନିକ ଉପରେ ଚଢ଼ଉ ହେଉନଥିବା ବେଳେ ଦିନକ ତଳେ ହଠାତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଥୋ କ୍ଲିନିକ ଉପରେ ଚଢ଼ଉ କରାଯାଇ ୪ ଟି କ୍ଲିନିକ୍‌କୁ ସିଲ କରାଯାଇଥିବା ବେଳେ ଗୋଟାଏ କ୍ଲିନିକ୍‌କୁ ୭ଦିନ ସମୟ ଦିଆଯାଇଥିଲା । ଇତି ମଧ୍ୟରେ ସିଡିଏମଓ ଡା.ଦୈତାରୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ଡାକ୍ତରମାନେ ସଠିକ କାମ କରୁଛନ୍ତି ନା ନାହିଁ ଜାଣିବା ପାଇଁ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଚଢ଼ଉ କରିଥିଲେ।

ତେବେ ସର୍ଜରୀ ବିଭାଗରେ ରୋଗୀଙ୍କ ପ୍ରବଳ ଭିଡ ଲାଗିଥିବା ବେଳେ ସେଠାରେ ଚିକିତ୍ସା ଦାୟିତ୍ୱରେ ଥିବା ସହକାରୀ ପ୍ରଫେସର ଡା.ଭଞ୍ଜନ ମେହେର ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ପଚରାଉଚୁରା ପରେ ସେ ହାଜିରା ଖାତାରେ ଦସ୍ତଖତ କରି ନିକଟରେ ଥିବା ଏକ କ୍ଲିନିକ୍‌କୁ ରୋଗୀ ଦେଖିବା ପାଇଁ ଯାଇଥିଲେ । ଏ ସମ୍ପର୍କରେ ଜାଣିବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ବସୁଧା କ୍ଲିନିକ ଉପରେ ଚଢ଼ଉ କରିଥିଲେ । ସେହି କ୍ଲିନିକରେ ଡା.ମେହେର ଉପସ୍ଥିତ ଥିଲେ । ସବୁଠାରୁ ବଡ କଥା ହେଲା ଯେ, ଡାକ୍ତର ଉପସ୍ଥିତ ଥିବା କ୍ଲିନିକ ବେଆଇନ ଭାବେ ଚାଲିଥିଲା । କ୍ଲିନିକ ଚାଲିବା ପାଇଁ ଆବଶ୍ୟକ ପ୍ରମାଣ ପତ୍ର ନଥିଲା ।

ଫଳରେ ସଙ୍ଗେ ସଙ୍ଗେ ସେହି କ୍ଲିନିକ୍‌କୁସିଲ କରାଯାଇଥିଲା । କିନ୍ତୁ ଏଭଳି ଗର୍ହିତ ଭୁଲ କରିଥିବା ଡାକ୍ତରଙ୍କୁ ପଚରାଉଚୁରା କରାଯିବା ସହିତ କେବଳ ଚେତାବନୀ ଦିଆଯାଇଥିଲା ଓ ଏକ ନୋଟିସ ଦେଇ ଛାଡ଼ି ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ମୁଖ୍ୟଚିକତ୍ସାଳୟ ବର୍ତ୍ତମାନ ଭୀମଭୋଇ ମେଡିକାଲ କଲେଜର ଡାକ୍ତରଖାନା ଭାବରେ କାମ କରୁଛି। ଫଳରେ ପ୍ରତ୍ୟକ ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଛନ୍ତି । ଏଠାରେ ସହକାରୀ ଫ୍ରଫେସରମାନଙ୍କୁ ଚିକିତ୍ସା କରିବା ପାଇଁ ସରକାର ନିଯୁକ୍ତି ଦେଇଛନ୍ତି । କିନ୍ତୁ ବିଭିନ୍ନ ସମୟରେ ଅନେକ ପ୍ରଫେସର ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି ।