ଜିଲ୍ଲାପାଳ ଓ ପୌରପାଳିକା କାର୍ଯ୍ୟାଳୟରେ ଆବର୍ଜନା ପକାଇ ବିରୋଧ ପ୍ରଦର୍ଶନ କଲେ ସଫେଇ କର୍ମଚାରୀ

ବାରିପଦା,ଏନ୍ଏନ୍ଏସ୍: ଠିକା ସଫେଇ କର୍ମଚାରୀମାନଙ୍କୁ ଏକମାସରୁ ଊଦ୍ଧ୍ୱର୍ ସମୟ ଧରି ଦରମା ନମିଳିବାରୁ ସ୍ଥାନୀୟ ପୌରପାଳିକା ସମ୍ମୁଖରେ ବୁଧବାର ସକାଳେ ଆବର୍ଜନା ଫିଙ୍ଗି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁସାରେ ଏକ ଠକା ସଂସ୍ଥା କର୍ମଚାରୀଙ୍କୁ ମାସେ ହେବ ସେମାନଙ୍କୁ ଦରମା ଦେଇନାହିଁ। ଏଥିଯୋଗୁଁ ଗତକାଲି ଠାରୁ ସେମାନେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

ଏ ନେଇ କର୍ମଚାରୀମାନେ ସକାଳୁ ଆବର୍ଜନା ଆଣି ପୌରପାଳିକା କାର୍ୟ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଫିଙ୍ଗିଥିଲେ। ଖବରପାଇ ଏସ୍‌ଡିପିଓ, ଆଇଆଇସି, ପୌରପାଳିକାର କାର୍ୟ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରାଇବା ସହ ଆଜି ସେମାନଙ୍କୁ ଦରମା ଦେବାକୁ ଠିକା ନେଇଥିବା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।

ସରକାରୀ ଅଧିକାରୀମାନଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ପ୍ରତିବାଦକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଫିଙ୍ଗିଥିବା ସ୍ଥାନରୁ ଆବର୍ଜନା ଓଳାଇ ପରିଷ୍କାର କରିଥିଲେ।