ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି ଫେବୃଆରୀ ୮ରୁ ଖୋଲିବ ନବମ ଓ ଏକାଦଶ କ୍ଲାସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଫେବୃଆରୀ ୮ରୁ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ। କରୋନା ସ୍ଥିତିରେ ସୁଧାର ପରିଲକ୍ଷିତ କରି ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ଫିଜିକାଲ୍ କ୍ଲାସ ୮ରୁ ଆରମ୍ଭ ହେବ। ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିବେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ସୋମବାର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରୀ ୮ରୁ ଦଶମ ଓ ଦ୍ୱାଦଶ ପିଲାଙ୍କ ଫିଜିକାଲ୍ କ୍ଲାସ ଆରମ୍ଭ ହୋଇଥିବାବେଳେ ଏହାର ଏକ ମାସ ପରେ ନବମ ଓ ଏକାଦଶ ପିଲାଙ୍କର କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ୮ରୁ ଖୋଲିବ ଏବଂ ଅପ୍ରେଲ ୩୦ ତାରିଖ ଯାଏଁ ଫିଜିକାଲ କ୍ଲାସ ହେବ। ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୮ଟା ୩୦ମିନିଟରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ହେବ। ସୋମବାରରୁ ଶନିବାର ଯାଏଁ ପାଠପଢ଼ା ହେବ। ଦୈନିକ ତିନୋଟି ପିରିଅଡ଼ ପାଠପଢ଼ା ହେବ। ତେବେ ବିଭାଗ ପକ୍ଷରୁ ପାଠ ପଢ଼ା ସମୟ ନିର୍ଘଣ୍ଟ ହୋଇଥିଲେ ମଧ୍ୟ ସ୍ଥାନୀୟ ପାଣିପାଗ ଅନୁଯାୟୀ କ୍ଲାସର ସମୟ ସ୍ଥିର କରିବା ପାଇଁ ମଧ୍ୟ ବିଭାଗ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦେଇଛି। ତେବେ ପୂର୍ବରୁ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ଜାରି କରାଯାଇଥିବା କରୋନା ମାର୍ଗଦର୍ଶିକାକୁ ପାଳନ କରିବାକୁ ବିଭାଗ କହିଛି।

ସେହିପରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପଢ଼ା ସମୟକୁ ପରିବର୍ତ୍ତନ କରାଯାଇଛି। ଦଶମ ଶ୍ରେଣୀ ପିଲାଙ୍କର କ୍ଲାସ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୪ଟା ମଧ୍ୟରେ ୭ଟି ପିରିଅଡ଼ ସାରିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି। ଅପରାହ୍ଣ ୧ଟା ୪୦ ମିନିଟ୍ରୁ ୨ଟା ୧୦ ପର୍ଯ୍ୟନ୍ତ ଦଶମ ପିଲାଙ୍କ ଖେଳଛୁଟି ନିର୍ଦ୍ଧାରିତ ହୋଇଥିବାବେଳେ ନବମ ଶ୍ରେଣୀ ପିଲାଙ୍କର ଖେଳଛୁଟି ରହିବ ନାହିଁ। ତେବେ ଶିକ୍ଷକମାନଙ୍କୁ ଶ୍ରେଣୀ ଆରମ୍ଭର ୩୦ ମିନିଟ୍ ପୂର୍ବରୁ ବିଦ୍ୟାଳୟରେ ପହଞ୍ଚିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି। ତେବେ ପରିବର୍ତ୍ତିତ ପାଠ୍ୟକ୍ରମ ଆଧାରରେ ରୁଟିନ୍ ପ୍ରସ୍ତୁତ କରିବାକୁ ବିଭାଗ କହିଛି। ସେହିପରି ଦୁଇଟି ପର୍ଯ୍ୟାୟରେ ଶିକ୍ଷକମାନେ ବିଦ୍ୟାଳୟ ଆସିବେ ପ୍ରଥମ ପର୍ଯ୍ୟାୟ ୧ଟା ୩୦ ମିନିଟ୍ରେ ସରିବ ଓ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ଣ ୪ରେ ସରିବ। ତେବେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କର ୟୁନିଟ୍ ଟେଷ୍ଟ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ହେବାକୁ ଥିବାବେଳେ ବାର୍ଷିକ ପରୀକ୍ଷା ଅପ୍ରେଲ ଶେଷ ସପ୍ତାହରେ ହେବ। ତେବେ କରୋନା ପାଇଁ ସମସ୍ତ ପ୍ରତିଷେଧକ ମୂଳକ ବ୍ୟବସ୍ଥା ବିଦ୍ୟାଳୟ ପରିସର ଓ ଶ୍ରେଣୀ ଗୃହରେ ଅବଲମ୍ବନ କରାଯିବ। ଅପରପକ୍ଷେ ନବମ ଓ ଏକାଦଶ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବା ସମ୍ପର୍କରେ ବିଭାଗ ସ୍ପଷ୍ଟକରିଛି।