ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ପକ୍ଷରୁ ବିଧାୟକଙ୍କ ବିରୋଧରେ ଦାବିପତ୍ର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଗୁଣ୍ଡାଗିରି ବିରୋଧରେ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ସଂଘ ପକ୍ଷରୁ ଏସପିଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ସଂଘର ସମ୍ପାଦକ କୁଳଚନ୍ଦ୍ରମା ହସ୍ତୀଙ୍କ ନେତୃତ୍ୱରେ ସଂଘର ଶତାଧିକ ସଦସ୍ୟ ଏକ ମୌନ ଶୋଭାଯାତ୍ରାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଞ୍ଚି ଏସପି ରାଜକିଶୋର ପାଇକରାୟଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ ବିଧାୟକଙ୍କ ଦ୍ୱାରା ଜଣେ ଆଦିବାସୀ ସମ୍ପ୍ରଦାୟର ସରକାରୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ସଂଘ ଦୃଢ଼ ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ବିଧାୟକଙ୍କ କର୍ମୀଙ୍କୁ ମଧ୍ୟ ତୁରନ୍ତ ଗିରଫ କରିବାକୁ ଦାବୀ କରାଯାଇଥିଲା । ସେହିପରି ବିଧାୟକ ଓ ତାଙ୍କ ସମର୍ଥକମାନେ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି କଲେ ପରିଣାମ ଭୟାଭୟ ହେବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି । ଏହି ସମୟରେ ସଂଘର ସମ୍ପାଦକ କୁଳଚନ୍ଦ୍ରମା ହସ୍ତୀ, ଯତୀନ କୁମାର ନାୟକ, ଆଲୋକ କୁମାର ଗୁରୁ, ଶୈଳେନ୍ଦ୍ର ବ୍ରିନେଦ, ପ୍ରଭାସ ମଙ୍ଗଳ ସେଠୀ, ସଂଜୀବ କୁମାର ନାୟକ, ସୁକେନ ମୁଖି ଓ ଶିବା ମୁଖିଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ ।