ଭାରତ, ଚୀନ୍‌, ରୁଷିଆର ଆବର୍ଜନା ଆମେରିକାରେ ପହଞ୍ଚୁଛି- ଟ୍ରମ୍ପ

ୱାଶିଂଟନ୍‌,ଏଜେନ୍ସି: ପରିବେଶରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ନିୟମ କଡ଼ାକଡ଼ି ହୋଇଛି। ଭାରତ, ଚୀନ୍‌ ଓ ରୁଷିଆ ସମୁଦ୍ରକୁ ଛାଡ଼ୁଥିବା ଅଳିଆ ଆବର୍ଜନା ଭାସିଆସି ଲସ୍‌ ଆଞ୍ଜଲ୍ସରେ ପହଞ୍ଚୁଛି। ଏଥିସହ ଉକ୍ତ ଦେଶମାନଙ୍କର କାରଖାନାରୁ ନିର୍ଗତ ଧୂଆଁ ପରିବେଶକୁ ନଷ୍ଟ କରୁଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁୟର୍କଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଉଦ୍‌ବୋଧନ ଦେଲାବେଳେ କହିଛନ୍ତି।

ଏଥି ସହିତ ସେ ପୃଥିବୀ ପୃଷ୍ଠରେ ସର୍ବଦା ସ୍ବଚ୍ଛ ଜଳବାୟୁ ଚାହାନ୍ତି ବୋଲି କହିଛନ୍ତି। ସେହିପରି ପ୍ୟାରିସର ଜଳବାୟୁ ରାଜିନାମା ଆମେରିକା ପାଇଁ ଧ୍ୱଂସକାରୀ ହୋଇଥିବାରୁ ଆମେ ସେଥିରୁ ଓହରି ଆସିଛୁ ବୋଲି ସେ କହିଛନ୍ତି। ପ୍ୟାରିସ ଜଳବାୟୁ ରାଜିନାମା କାରଣରୁ ଆମେରିକାବାସୀ ନିଯୁକ୍ତି ହରାଉଛନ୍ତି ଓ ପ୍ରଦୂଷଣ ସୃଷ୍ଟିକାରୀ ବିଦେଶୀ ରାଷ୍ଟ୍ର ସୁରକ୍ଷିତ ରହୁଛନ୍ତି।

ଏହି ରାଜିନାମା ଏତେ ଅନ୍ୟାୟୋଚିତ ଯେ ୨୦୩୦ ପର୍ୟ୍ୟନ୍ତ ଚୀନ୍‌ ସୁରକ୍ଷିତ ରହୁଛି; ରୁଷିଆ ୧୯୯୦ ଦଶକକୁ ଚାଲିଯାଇଛି ଏବଂ ବିକାଶଶୀଳ ରାଷ୍ଟ୍ର ଭାବରେ ଭାରତକୁ ଆମେ ସାହାଯ୍ୟ କରୁଛୁ। ଆମେରିକା ମଧ୍ୟ ଏକ ବିକାଶଶୀଳ ରାଷ୍ଟ୍ର ବୋଲି ଟ୍ରମ୍ପ କହିଛନ୍ତି। ଆମେରିକା ଏକ କ୍ଷୁଦ୍ର ଭୂଖଣ୍ଡ ହୋଇଥିବାବେଳେ ଚୀନ୍‌, ଭାରତ ଓ ରୁଷିଆ ଆକାରରେ ବହୁତ ବଡ଼। ଏହା ସତ୍ତେ୍ୱ ସେମାନେ ଆବର୍ଜନା ସଫା କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି।