ଜମ୍ମୁ-କଶ୍ମୀର ଯିବେ ସିଜେଆଇ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ କଟକଣା ଯୋଗୁଁ ଜନସାଧାରଣ ନ୍ୟାୟ ପାଇଁ ହାଇକୋର୍ଟକୁ ଯାଇପାରୁ ନାହାନ୍ତି ବୋଲି ଅଭିଯୋଗ ହେବା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ କୁମାର ଗୋଗୋଇ ଏଥିନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ସେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ରାଜ୍ୟ ପରିସ୍ଥିତି ଉପରେ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଦରକାର ପଡ଼ିଲେ ମୁଁ ନିଜେ ଜମ୍ମୁ-କଶ୍ମୀର ଯାଇ ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବି।

ଜମ୍ମୁ-କଶ୍ମୀରରେ ନେତାମାନଙ୍କୁ ଅଟକ ରଖାଯାଇ ଥିବାରୁ ଏହାକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ଆଗତ ୮ ଆବେଦନର ସୋମବାର ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ କଂଗ୍ରେସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଶ୍ରୀନଗର, ଜମ୍ମୁ, ବାରମୁଲା ଓ ଅନନ୍ତନାଗ ଯିବାକୁ ଏହି ଅବସରରେ ଅନୁମତି ଦେଇଛନ୍ତି। ତେବେ ସେ କୌଣସି ରାଲିରେ ଯୋଗଦେଇ ପାରିବେ ନାହିଁ କି ସଭା ସମିତିରେ ଭାଷଣ ଦେଇପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

ଜମ୍ମୁ-କଶ୍ମୀର ପରିସ୍ଥିତି ସମ୍ପକରେ କେନ୍ଦ୍ର ଓ ରାଜ୍ୟ ପ୍ରଶାସନକୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ୩୭୦ ଧାରା ଉଚ୍ଛେଦ ଓ ଜମ୍ମୁ-କଶ୍ମୀରର ପୁନର୍ଗଠନ ପରେ ରାଜ୍ୟରେ ଦେଖାଦେଇଥିବା ପରିସ୍ଥିତିକୁ ବିଚାରକୁ ନେଇ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। କଶ୍ମୀର ଉପତ୍ୟକାରେ ସ୍ୱାଭବିକ ଅବସ୍ଥା ତୁରନ୍ତ ଫେରାଇ ଆଣିବା ଲାଗି ଉଦ୍ୟମ କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।