ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି

ନୂଆଦିଲ୍ଲୀ,ଏଜେନ୍ସି: ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌(ସିଏବି)– ୨୦୧୯କୁ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଏ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଏହି ବିଲ୍ ସୋମବାର ଲୋକସଭାରେ ଓ ଗୁରୁବାର ରାଜ୍ୟସଭାରେ ଗୃହୀତ ହୋଇଥିଲା। ଆଜି ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦେବା ସହ ଏହା ଆଇନରେ ପରିଣତ ହୋଇଛି। ନାଗରିକତା (ସଂଶୋଧନ) ଆଇନ- ୨୦୧୯ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ୍, ଖ୍ରୀଷ୍ଟିଆନ ଓ ପାର୍ସି ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ।

ତେବେ ମୁସଲମାନମାନଙ୍କୁ ଏହି ଆଇନ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ। ଏହା ଭାରତୀୟ ସମ୍ବିଧାନର ବିରୁଦ୍ଧାଚରଣ କରୁଛି ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀଦଳମାନେ କହୁଛନ୍ତି। ଉଭୟ ପାକିସ୍ତାନ ଓ ବାଂଲାଦେଶ ନିଜ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଥିବା ଖବରକୁ ଖଣ୍ଡନ କରିଛନ୍ତି। ତେବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ନାଗରିକତା ସଂଶୋଧିତଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଗତକାଲିଠାରୁ ହିଂସାତ୍ମକ ମୋଡ଼ ନେଇଛି। ସେହିପରି ଆସାମରେ ପୁଲିସ ଗୁଳିରେ ୨୨ ପ୍ରଦର୍ଶନକାରୀ ନିହତ ହୋଇଛନ୍ତି।