ଦେଶବାସୀଙ୍କୁ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ ମାଗଣାରେ ଉପଲବ୍ଧ ହେବ କରୋନା ଟିକା। ଟିକା ନେବା ପାଇଁ ସାଧାରଣ ଜନତାଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ। ସାରା ଦେଶରେ ଡାଏ ରନ୍ ଚାଲିଥିବା ବେଳେ ଏଭଳି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସିଂ।

ଦିଲ୍ଲୀର ଜିଟିବି ହସ୍ପିଟାଲରେ କରୋନା ଟିକାକରଣର ଡ୍ରାଏ ରନ୍ ସମୀକ୍ଷା କରିବାକୁ ଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏଥିସହିତ କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ସୁନିଶ୍ଚିତ କରାଯିବା ପରେ ଲୋକମାନଙ୍କୁ ଦିଆଯିବ। ଏନେଇ ଲୋକମାନଙ୍କ ମଧ୍ୟରେ କୌଣସି ସନ୍ଦେହ କିମ୍ବା ଭ୍ରାନ୍ତ ଧାରଣା ନରହୁ।

ଆଜି ସାରା ଦେଶରେ ୧୧୬ ଜିଲ୍ଲାରେ ୨୫୯ଟି ସେଣ୍ଟରରେ ଟିକାର ଡ୍ରାଏ ରନ୍ କରାଯାଉଛି। ରାଜଧାନୀ ଦିଲ୍ଳୀରେ ତିନୋଟି ସେଣ୍ଟରରେ ଡ୍ରାଏ ରନ୍ ଚାଲିଛି। କୋଭିଡ୍‌ ଭ୍ୟାକ୍ସିନ୍‌ ଇଣ୍ଟେଲିଜେନସ୍‌ ନେଟ‌ଓ୍ଵାର୍କ’ର ବ୍ୟବହାର ଓ କାର୍ଯ୍ୟକାରିତା ସମ୍ପର୍କରେ ଅଭିଜ୍ଞତା ହାସଲ କରିବା ଡ୍ରାଏ ରନର ମୂଳ ଉଦ୍ଦେଶ୍ୟ। ଟିକାକରଣର ପ୍ରାକ୍ ଅଭ୍ୟାସ ଫଳରେ ପ୍ରକୃତ ଟିକାକରଣ ଆରମ୍ଭ ପୂର୍ବରୁ ଉକ୍ତ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି, ଉପୁଜୁଥିବା ଅସୁବିଧାକୁ ଚିହ୍ନଟ କରିହେବ। ଏହି ସମୟରେ କୋଭିଡ ଟିକା କେବଳ ଦିଲ୍ଲୀ ବାସୀଙ୍କ ପାଇଁ ନୁହେଁ ବରଂ ସମସ୍ତ ରାଜ୍ୟ ପାଇଁ ମାଗଣା ବୋଲି ଗଣମାଧ୍ୟମକୁ କହିଛନ୍ତି।