ଆଇଏନଏକ୍ସ ମିଡିଆ ମାମଲା : ଚିଦାମ୍ବରମଙ୍କ ଜାମିନ ଆବେଦନ ପୁଣି ଖାରଜ

ନୂଆଦିଲ୍ଲୀ, ଏଜେନ୍ସି : ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଆଶଙ୍କାରେ ସୋମବାର ଦିଲ୍ଲୀ ହାଇକୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଆଇଏନଏକ୍ସ ମାମଲାରେ ସିବିଆଇ ଗତମାସରେ ତାଙ୍କୁ ଜେରା କରି ସାରିବା ପରଠାରୁ ସେ ଦିଲ୍ଲୀର ତିହାର ଜେଲରେ ଅଛନ୍ତି। ଚିଦାମ୍ବରମ କୋର୍ଟରେ ଯୁକ୍ତି କରିଥିଲେ ଯେ ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ସେତେ ଗୁରୁତର ନୁହେଁ। ସେ ଦୋଷ କରିଥିବା ପ୍ରମାଣିତ ହେଲେ, ସର୍ବାଧିକ ୭ ବର୍ଷ ଜେଲଦଣ୍ଡ ଭୋଗିବାର ବ୍ୟବସ୍ଥା ଅଛି।

ଅନ୍ୟପକ୍ଷରେ ସିବିଆଇ କହିଛି, ମାମଲାରେ ଚିଦାମ୍ବରମଙ୍କ ସମ୍ପୃକ୍ତି ଓ ଦଣ୍ଡବିଧାନ ଗୁରୁତର ନୁହେଁ ସତ; କିନ୍ତୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରାଗଲେ, ତାହାର ପ୍ରଭାବ ସମାଜ, ଅର୍ଥନୀତି, ଆର୍ଥିକ ସ୍ଥିରତା ଓ ଦେଶର ଅଖଣ୍ଡତା ଉପରେ ପଡ଼ିବ। ମାମଲାର ବିଚାର କରି ହାଇକୋର୍ଟ ରାୟରେ କହିଛନ୍ତି ଯେ ପ୍ରମାଣ ନଷ୍ଟ କରିବାର ଚାନ୍ସ ନାହିଁ, କିନ୍ତୁ ଚିଦାମ୍ବରମ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

ସୂଚନାଅନୁଯାୟୀ, ୨୦୦୭ରେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ ବିଦେଶୀ ସଂସ୍ଥାକୁ ବିପୁଳ ପରିମାଣର ଆର୍ଥିକ ଫାଇଦା ପହଞ୍ଚାଇଥିଲେ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ବିପୁଳ ଅର୍ଥ ପାଇଥିଲେ। ଆଇଏନଏକ୍ସ ମିଡିଆକୁ ପ୍ରତିଷ୍ଠା କରିଥିଲେ ଶୀନା ବୋରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପିଟର ଓ ଇନ୍ଦ୍ରାଣୀ ମୁଖାର୍ଜୀ। ଜେଲରେ ରହିଥିବା ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବୟାନକୁ ଭିତ୍ତି କରି ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା। ଚିଦାମ୍ବରମ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବାରୁ ସିବିଆଇ ତାଙ୍କୁ ମଧ୍ୟ ଜେରା କରିଥିଲା। ଇତିମଧ୍ୟରେ ସିବିଆଇ ପୂର୍ବତନ ସରକାରଙ୍କ ଅମଳରେ ଗ୍ରହଣ କରାଯାଇଥିବା ପ୍ରସ୍ତାବକୁ ସୁପାରିଶ କରିଥିବା ଅଭିଯୋଗରେ ୬ ସଚିବଙ୍କ ସମେତ ପ୍ରାୟ ଏକ ଡଜନ ଅଧିକାରୀଙ୍କୁ ଜେରା କରିସାରିଲାଣି।