ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉଚ୍ଚ ମାଧ୍ୟମିକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଆଜି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ପରୀକ୍ଷା ଫଳ ପୁସ୍ତିକାର ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇନଥିଲା। ତେଣୁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅନୁସରଣ କରାଯାଇ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯାଇଛି। ଏଥିରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ସେହିପରି ଅନଲାଇନରେ ରାତ୍ରି ୮ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ।

ମନ୍ତ୍ରୀ ଶ୍ରୀ ଦାସଙ୍କ ସୂଚନା ଅନୁସାରେ ଯୁକ୍ତ ଦୁଇ ବିଜ୍ଞାନରେ ୯୪,୫୩୨ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୮୯,୯୫୧ ଜଣ ପାସ କରିଛନ୍ତି। ସେଥିରେ ପୁଅଙ୍କ ସଂଖ୍ୟା ୫୦,୧୯୮ ହୋଇଥିବା ବେଳେ ଝିଅଙ୍କ ସଂଖ୍ୟା ୩୯,୭୫୩ ରହିଛି। ସେହିପରି ପ୍ରଥମ ଶ୍ରେଣୀରେ ୫୫,୪୬୮ ଜଣ (୫୮.୬୭%), ଦ୍ୱିତୀୟ ଶ୍ରେଣୀରେ ୧୬,୯୪୩ ଜଣ (୧୭.୯୨%) ଓ ତୃତୀୟ ଶ୍ରେଣୀରେ ୧୪,୬୩୧ ଜଣ ପାସ କରିଛନ୍ତି। ଏଥିସହିତ ମୋଟ ପାସ ହାର ୯୫.୧୫। ସେଥିରୁ ପୁଅଙ୍କ ପାସ ହାର ୯୪.୪୬ ଓ ଝିଅଙ୍କ ପାସ ହାର ୯୬.୦୩। ସେହିପରି ୯୦ ପ୍ରତିଶତ ମାର୍କରେ ୨,୨୭୮ ଜଣ ପାସ କରିଛନ୍ତି। ଯାହାକି ଗତଥର ୧୩୭ ଥିଲା। ସେହିପରି ରେଗୁଲାରରେ ୭୮,୮୯୯ ଜଣ ପରୀକ୍ଷା ଦେଇଥିବା ବେଳେ ୭୮,୮୦୯ ଜଣ ପାସ କରିଛନ୍ତି। ଯାହାକି ୯୯.୮୮ ପ୍ରତିଶତ। ସେହିପରି ଏକ୍ସ ରେଗୁଲାରରେ ୧୫,୬୩୩ ଜଣ ପରୀକ୍ଷା ଦେଇଥିବା ବେଳେ ୧୧,୧୪୨ ଜଣ ପାସ କରିଛନ୍ତି।

ସେହିପରି ବାଣିଜ୍ୟରେ ଚଳିତ ବର୍ଷ ୨୪,୫୨୬ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୨୩,୨୯୨ ଜଣ ପାସ କରିଛନ୍ତି। ଯାହାକି ୯୪.୯୬ ପ୍ରତିଶତ। ସେଥିରେ ପୁଅ ୧୪,୭୫୭ ଜଣ (୯୪.୩୯%) ଓ ଝିଅ ୮,୫୩୫ ଜଣ (୯୫.୯୭%) ପାସ କରିଛନ୍ତି। ସେହିପରି ପ୍ରଥମ ଶ୍ରେଣୀରେ ୮,୩୫୫ (୩୫.୮୭%), ଦ୍ୱିତୀୟ ଶ୍ରେଣୀରେ ୫,୬୯୨ ଓ ତୃତୀୟ ଶ୍ରେଣୀରେ ୯,୦୬୬ ଜଣ ପାସ କରିଛନ୍ତି। ରେଗୁଲାରରେ ୨୧,୯୯୬ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୨୧,୯୦୬ ଜଣ ପାସ କଲେ ଯାହାକି ୯୯.୫୯ ପ୍ରତିଶତ। ସେହିପରି ଏକ୍ସ ରେଗୁଲାରରେ ୨,୫୩୦ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୮୬ ଜଣ ପାସ କରିଛନ୍ତି ଯାହାକି ୫୪.୭୮ ପ୍ରତିଶତ।

ପରୀକ୍ଷାର୍ଥୀ ମାନେ ରାତି ୮ଟାରେ ଅନଲାଇନରେ ପରୀକ୍ଷା ଫଳ ଦେଖିପାରିବେ। ଏନେଇ www.orissaresults.nic.inରେ ପରୀକ୍ଷା ଫଳ ଜାଣି ପାରିବେ ଓ ନିଜର ମାର୍କ ସିଟ୍ ଡାଉନଲୋଡ କରିପାରିବେ। ଏହି ଫଳ ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର saams e-spaceରେ ଉପଲବ୍ଧ ହେବ। ଏଥିସହ ପରୀକ୍ଷାର୍ଥୀମାନେ ହେଲ୍ପ ଲାଇନ ନମ୍ବର ୦୬୭୪-୨୩୦୧୦୯୮ରୁ ଆବଶ୍ୟକ ସୂଚନା ପାଇପାରିବେ।