ଭ୍ୟାକ୍ସିନ ପଠାଇଥିବାରୁ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ କ୍ରିସ ଗେଲ୍

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ‘ୟୁନିଭର୍ସ ବସ୍’ ନାମରେ ଜଣାଯାଉଥିବା ଧୁଆଁଧାର ବ୍ୟାଟ୍ସମେନ୍ କ୍ରିସ୍ ଗେଲ୍ ଜାମାଇକାକୁ କରୋନା ଭ୍ୟାକ୍ସିନ ପଠାଇଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି। ଗେଲ୍ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓ ଭାରତବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗେଲ୍ କହିଛନ୍ତି ଯେ, ଜମାଇକାକୁ କରୋନା ଭ୍ୟାକ୍ସିନ ଦେଇଥିବା ଯୋଗୁ ଭାରତ ସରକାର, ପୀଏମ ମୋଦୀ ଓ ଭାରତବାସୀଙ୍କୁ ଧନ୍ୟବାଦ। ଆମେ ଏହାର ଖୁବ୍ ପ୍ରଶଂସା କରୁଛୁ।

ସୂଚନାଯୋଗ୍ୟ, କରୋନା ବିରୋଧୀ ଲଢ଼େଇରେ ଭାରତ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଭାରତ ସରକାର ‘ଭ୍ୟାକ୍ସିନ ମୈତ୍ରୀ’ ଜରିଆରେ ସ୍ୱଦେଶୀ କରୋନା ଭ୍ୟାକ୍ସିନ ଅନ୍ୟ ଦେଶକୁ ପହଞ୍ଚାଉଛନ୍ତି। ଜାମାଇକା ପୂର୍ବରୁ ଭାରତ ଭୁଟ୍ଟାନ, ମାଲଦ୍ୱୀପ, ବହରୀନ, ନେପାଳ, ବାଙ୍ଗଲାଦେଶ, କାନାଡ଼ା ଓ ଶ୍ରୀଲଙ୍କାକୁ ଭ୍ୟାକ୍ସିନ ଉପଲବ୍ଧ କରାଇଛି।