କଟକ ଚୌଧୁରୀ ବଜାରରେ ଏଥର ଗ୍ରୀନ୍ ଓ କ୍ଲିନ୍ ଦୁର୍ଗାପୂଜା: ଦଶମୀରେ ଦହିପଖାଳ ଓ ଜହ୍ନିପୋଡ଼ା

ଭକ୍ତି ମହାନ୍ତି, କଟକ

କଟକ,ଏନ୍ଏନ୍ଏସ୍ : ପୁରାତନକାଳରୁ ଚୌଧୁରୀ ବଜାରରେ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ସେବେଠାରୁ ଏହି ପରମ୍ପରା ପାଳନ ହୋଇଆସୁଛି। ପ୍ରତ୍ୟେକ ବର୍ଷ ଆକର୍ଷଣୀୟ ଢଙ୍ଗରେ ପୂଜା ହେଉଛି। ଏଥର ଗ୍ରୀନ୍ ଓ କ୍ଲିନ୍ ପୂଜାମଣ୍ଡପ ଏବଂ ନୋ’ ପଲିଥିନ୍ ଉପରେ କମିଟି ଗୁରୁତ୍ୱ ଦେଉଛି। ସାହି ମୁରବିଙ୍କ ପରଲୋକ ଯୋଗୁଁ ନିରାଡ଼ମ୍ବର ଭାବେ ଭସାଣି କରାଯିବ ବୋଲି କମିଟି ନିଷ୍ପତ୍ତି ନେଇଛି।

ଇତିହାସ କହେ ୧୮୭୨ମସିହାରେ ଦୁର୍ଗା ମଣ୍ଡପରେ ପ୍ରଥମେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। କାଗଜ ଓ ଜରିରେ ମେଢ଼ ତିଆରି ହେଉଥିଲା। ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ହୋଇ ଆକର୍ଷଣୀୟ କାଗଜ ଓ ଜରି ମେଢ଼ ମୂର୍ତ୍ତିର ଶୋଭାବର୍ଦ୍ଧନ କରୁଥିଲା। କମିଟି ପକ୍ଷରୁ ଚାନ୍ଦି ମେଢ଼ କରିବାକୁ ନିଷ୍ପତ୍ତି ନିଆଗଲା। ଦୋକାନ ବଜାରର ବ୍ୟବସାୟୀ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ଦାନରେ ୧୯୫୬ମସିହାରେ ଚାନ୍ଦି ମେଢ଼ ତିଆରି ହୋଇଥିଲା, ଯାହାକି କଟକ ସହରର ପ୍ରଥମ ଚାନ୍ଦି ମେଢ଼ ଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେତେବେଳେ ୨୫୦ କିଲୋଗ୍ରାମ ଚାନ୍ଦିରେ ମେଢ଼ ଓ ସିଂହାସନ ତିଆରି କରାଯାଇଥିଲା।

ପୂଜା କମିଟିର କର୍ମକର୍ତ୍ତା ମେଢ଼କୁ ଆହୁରି ସୁନ୍ଦର କରିବା ପାଇଁ ଆଗେଇ ଆସିଥିଲେ। ୨୦୦୨ମସିହାରେ ପାଶ୍ୱର୍ ଦେବଦେବୀଙ୍କର ମୁକୁଟ ଓ ଗହଣା ସୁନାରେ ତିଆରି ହେବା ସହ ଗୋଟିଏ କଲିକା ତିଆରି ହୋଇଥିଲା। ୨୦୦୫ ମସିହାରେ ମା’ଙ୍କର ସୁନାର ଚମ୍ପା ହାର ଓ ଚାନ୍ଦି ମେଢ଼ରେ ଲାଗିଥିବା ୪ଟି କଲିକାରେ ସମ୍ପୂର୍ଣ୍ଣ ସୂନା ବିନିଯୋଗ ହୋଇଥିଲା। ୨୦୦୮ ମସିହାରେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପାଇଁ ସୁନାର ହାର ତିଆରି କରାଯାଇଥିଲା।୨୦୧୩ ମସିହାରେ ଚାନ୍ଦି ମେଢ଼ରେ ଏକ ସୁନାର ଓଁ ତିଆରି କରାଯାଇଛି। ୨୦୧୮ମସିହାରେ ପୂନର୍ବାର ଆଉ ଦୁଇଟି ସୁନା କଳିକା ଗଢ଼ାଯାଇଛି।