ହାଇଦ୍ରାବାଦ,ଏଜେନ୍ସି: ତେଲଗୁ ଇଣ୍ଡଷ୍ଟ୍ରିଜର ନାମିଦାମୀ କଳାକାର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ ଚିରଞ୍ଜୀବୀ କରୋନା ସଂକ୍ରମିତ ହୋଇଛନ୍ତି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟଭ ଆସିଛି।
ମେଗାଷ୍ଟାରଙ୍କ ସୂଚନା ଅନୁସାରେ ସେ ତାଙ୍କର ଆଗାମୀ ଫିଲ୍ମ ‘ଆଚାର୍ଯ୍ୟ’ର ସୁଟିଂ ପାଇଁ କରୋନା ଟେଷ୍ଟ କରାଇଥିଲେ। ଦୁର୍ଭାଗ୍ୟବଶତଃ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ କ୍ରମେ ସଂଗରୋଧ କେନ୍ଦ୍ରରେ ଅଛନ୍ତି।
ଏଥିସହିତ ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ସୁରକ୍ଷା ଦୃଷ୍ଟିରୁ କରୋନା ଟେଷ୍ଟ କରାଇବାକୁ ଚିରଞ୍ଜୀବୀ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ କରୋନା ପରେ ହାଇଦ୍ରାବାଦରେ ଫିଲ୍ମ କ୍ୟାମ୍ପ କରି କାମ କରିବ ନେଇ ଶନିବାର ଦିନ ସନ୍ଧ୍ୟାରେ ସେ, ଅକିନେନି ନାଗାର୍ଜୁନ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଗତି ଭବନଠାରେ ଏକ ମିଟିଂ କରିଥିଲେ। ସେହି ମିଟିଂରେ ସେମାନେ ମାସ୍କର ବ୍ୟବହାର କରିନଥିବାବେଳେ ଅତି ପାଖାପାଖି ବସି ଆଲୋଚନା କରିଥିବା ଜଣାପଡ଼ିଛି।