ଭୁବନେଶ୍ୱର,ଏନ୍ଏନ୍ଏସ୍: ନିକଟରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଶେଷରେ ମୁହଁ ଖୋଲିଛନ୍ତି । ଚିରଞ୍ଜୀବ କହିଛନ୍ତି ଯେ, ମୁଁ କଂଗ୍ରେସ ପରିବାରରରୁ ଆସିଛି । ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା । ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ କରିବା ପାଇଁ କାମ କରିଛୁ । କଂଗ୍ରେସ ବିରୋଧରେ କୌଣସି କାମ କରିନି । କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରରେ ଏକ ବୈଠକ କରିଥିଲୁ । ଏଥିରେ କଂଗ୍ରେସକୁ ସୁଦୃଢ଼ କରିବାକୁ ନେଇ ଆଲୋଚନା ହୋଇଥିଲା । ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ ମୋ ପାଇଁ କଲା ବୋଲି କୁହାଗଲା । ତେବେ ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ କାହା ପାଇଁ ଖରାପ ପ୍ରଦର୍ଶନ ହେଲା । ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କଲେ କଂଗ୍ରେସ ସୁଦୃଢ଼ ହୋଇପାରିବନି । କଂଗ୍ରେସରୁ ନିଲମ୍ବିତ ହେବା ମୋତେ ଦାରୁଣ ଆଘାତ ଦେଇଛି । ଗୋଟିଏ କୁଚକ୍ରୀ ଗୋଷ୍ଠୀ ମୋତେ ଦଳରୁ ଦୂରେଇବାକୁ ଚେଷ୍ଟିତ ।
ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ମୋକିମ ଖାନଙ୍କୁ ଗତ ୧୫ ତାରିଖରେ କଂଗ୍ରେସରୁ ନିଲମ୍ବିତ କରାଯାଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକ ୨ ନେତାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ କରିଥିଲେ । ସେଥିପାଇଁ ଡିସିପ୍ଲିନାରୀ ଆକ୍ସନ କମିଟି (ଡିଆଇସି) ଉଭୟଙ୍କୁ ସସପେଣ୍ଡ କରିବା ଲାଗି ନିଷ୍ପତ୍ତି ନେଇଥିଲା ।