ଚିନ୍ମୟାନନ୍ଦ ମାମଲାରେ ପୀଡ଼ିତାଙ୍କୁ ଏସ୍ଆଇଟିର ଜେରା

ଶାହାଜାହାନପୁର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଚିନ୍ମୟାନନ୍ଦଙ୍କ ଶୟନକକ୍ଷରୁ ପ୍ରମାଣ ସଂଗ୍ରହ କରିବା ପରେ ଶନିବାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ପୀଡ଼ିତା ଛାତ୍ରୀଙ୍କୁ ଜେରା କରିଛି। ନିଜ ଅଭିଯୋଗକୁ ବଳିଷ୍ଠ କରିବା ପାଇଁ ପୀଡ଼ିତା ଜଣକ ଏସଆଇଟିକୁ ଗୋଟିଏ ପେନ୍ ଡ୍ରାଇଭ ହସ୍ତାନ୍ତର କରିଛନ୍ତି ଯେଉଁଥିରେ ୪୩ଟି ଭିଡିଓ ରହିଛି।

ପୀଡ଼ିତା କହିଛନ୍ତି ଯେ ଚିନ୍ମୟାନନ୍ଦଙ୍କ ଶୟନକକ୍ଷର ଆଭ୍ୟନ୍ତରୀଣ ଶୋଭାକୁ ନୂଆ ରୂପ ଦିଆଯାଇଛି। ପୀଡ଼ିତାଙ୍କ ମା’ ଓ ଅନ୍ୟ କେତେଜଣଙ୍କୁ ଭେଟି ଏସଆଇଟି ବୟାନ ଲିପିବଦ୍ଧ କରିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏସଆଇଟି ପୀଡ଼ିତା ଛାତ୍ରୀଙ୍କୁ ଧରି ଶୁକ୍ରବାର ସକାଳେ ଚିନ୍ମୟାନନ୍ଦଙ୍କ ଘରେ ପହଞ୍ଚି ପ୍ରାୟ ୫ ଘଣ୍ଟା ଧରି ଜେରା କରିଥିଲା। ଗୁରୁବାର ରାତିରେ ଚିନ୍ମୟାନନ୍ଦଙ୍କୁ ପ୍ରାୟ ୭ ଘଣ୍ଟା ଧରି ଏସଆଇଟି ଜେରା କରିବା ପରେ ଦିବ୍ୟଧାମ ଘରକୁ ସିଲ୍ କରିଥିଲା।