ଚୀନ ସ୍କୁଲରେ ଛୁରାମାଡ଼ : ୪୦ ଶିଶୁ ଓ ଶିକ୍ଷକ ଆହତ

ବେଜିଂ,ଏଜେନ୍ସି : ଚୀନର ଗୁଆଙ୍ଗଜି ପ୍ରଦେଶ ଅନ୍ତର୍ଗତ ଗୋଟିଏ ପ୍ରାଥମିକ ସ୍କୁଲର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଛୁରାରେ ଆକ୍ରମଣ କରିଛନ୍ତି ଜନୈକ ସୁରକ୍ଷାକର୍ମୀ। ଆହତଙ୍କ ମଧ୍ୟରୁ ତିନିଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି ବୋଲି ଚାଇନା ଡେଲି ସମ୍ବାଦ ସଂସ୍ଥା ସୂତ୍ରରୁ ପ୍ରକାଶ। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ଗୁରୁବାର ସକାଳ ପ୍ରାୟ ସାଢ଼େ ୮ଟାରେ ୱାଙ୍ଗଫୁ ଟାଉନ୍ ସେଣ୍ଟ୍ରାଲ ପ୍ରାଇମେରୀ ସ୍କୁଲରେ ଏହି କାଣ୍ଡ ଘଟିଛି। ଅଭିଯୁକ୍ତ ଆକ୍ରମଣକାରୀ ହେଉଛନ୍ତି ୫୦ ବର୍ଷୀୟ ଲି ଜିଆଓମିନ୍। ସେ ସମ୍ପୃକ୍ତ ସ୍କୁଲରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି। ଡାକ୍ତରଖାନାରେ ଚିକିତ୍ସାଧୀନ ତିନିଜଣ ଗୁରୁତର ଆହତଙ୍କ ମଧ୍ୟରେ ସ୍କୁଲ ପ୍ରିନ୍ସିପାଲ, ଆଉ ଜଣେ ସୁରକ୍ଷାକର୍ମୀ ଓ ଜଣେ ଛାତ୍ର ଅଛନ୍ତି। ଏକ ଭିଡିଓ ଚିତ୍ରରେ ଡାକ୍ତର ଓ ନର୍ସମାନେ ପ୍ରାୟ ୧୦ ଜଣ ଛାତ୍ରଙ୍କ ମୁଣ୍ଡ ଓ ଦେହରେ ପଟି ପକାଉଥିବାର ଦେଖିବାକୁ ମିଳିଛି। ହସ୍ପିଟାଲ ବାହାରେ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ରୁଣ୍ଡ ହୋଇଥିଲେ।