ଓଡ଼ିଶା ମାର୍କେଟରୁ ଚାଇନା ମାଲ୍ ଉଭାନ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ମାରାତ୍ମକ ରୋଗ ‘କରୋନା’ ବ୍ୟାପିବା ପରେ ଚାଇନା ସହ ଭାରତର ଯୋଗାଯୋଗ ବନ୍ଦ ହୋଇଯାଇଛି। ଜଳ, ସ୍ଥଳ ଓ ଆକାଶ ପଥ ଉପରେ ଏହି କଟକଣା ଲଗାଯାଇଛି। ଫଳରେ ଚାଇନାରୁ କୌଣସି ସାମଗ୍ରୀ ଓଡ଼ିଶାକୁ ରପ୍ତାନି ହୋଇପାରୁନି। ଏମିତିକି ଚାଇନା ମଧ୍ୟ ତା’ର ସମସ୍ତ ସାମଗ୍ରୀ ପଡ଼ୋଶୀ ଦେଶକୁ ରପ୍ତାନି କରିବା ବନ୍ଦ କରିଦେଇଛି। ଯେଉଁଥିପାଇଁ ଦିନକୁ ଦିନ ଚାଇନା ଜିନିଷ ମାର୍କେଟରୁ ଉଭାନ ହେବାରେ ଲାଗିଛି। ଚାଇନାରେ ‘କରୋନା’ ବ୍ୟାପିବା ଯୋଗୁଁ ଓଡ଼ିଶା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ସମସ୍ତ ଚାଇନା ସାମଗ୍ରୀ ରପ୍ତାନି ବନ୍ଦ ହେବାରୁ ଓଡ଼ିଶାର ମାର୍କେଟ ଏବେ ମାନ୍ଦା ପଡ଼ିଛି। ଖାସକରି ବୈଦ୍ୟୁତିକ ଯନ୍ତ୍ରପାତି ଓ ରାସାୟନିକ ପଦାର୍ଥ ଏବଂ ଗିଫ୍ଟ ସାମଗ୍ରୀର ଅଭାବ ହୋଇଛି। ଯେଉଁଥିପାଇଁ ଚାଇନା ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ଏବେ ଚିନ୍ତାରେ ପଡ଼ିଛନ୍ତି। କରୋନା ହେବା ପର ଠାରୁ ଅଳ୍ପସଂଖ୍ୟକ ଲୋକେ ଚାଇନା ସାମଗ୍ରୀ କିଣିବାକୁ ଯାଉଥିବାବେଳେ, ଭାଇରସ୍ ଯୋଗୁଁ ଅଧିକାଂଶ ସାମଗ୍ରୀକୁ ଛୁଇଁବାକୁ ଭୟ କରୁଛନ୍ତି। ଯାହା ଦୋକାନୀଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି।

ପୂର୍ବରୁ ଯେତିକି ଗଚ୍ଛିତ ସାମଗ୍ରୀ ଥିଲା ସେଥିରେ ପ୍ରାୟ ଏକମାସ ବିତିଗଲା। କିନ୍ତୁ ଏବେ ସାମଗ୍ରୀ ଶେଷ ହୋଇଯିବାରୁ ବ୍ୟବସାୟୀ ବି ଏବେ ଚିନ୍ତାରେ ପଡ଼ିଛନ୍ତି। ଏମିତିକି ପୂର୍ବରୁ ଭାରତୀୟ ବୈଦ୍ୟୁତିକ ସାମଗ୍ରୀ ଯଥା-ଏଭରେଡ୍ଡି ଟର୍ଚ୍ଚ ଓ ନିପ୍ପୋ ବ୍ୟାଟେରୀ ଅଧିକାଂଶ ବିକ୍ରି ହେଉନଥିଲା। କିନ୍ତୁ ଚାଇନା ମାଲର ଅଭାବ ଯୋଗୁଁ ଏବେ ଏହା ଅଧିକାଂଶ ବିକ୍ରି ହେଉଥିବା ଭୁବନେଶ୍ୱର ୟୁନିଟ-୧ ମାର୍କେଟର ବ୍ୟବସାୟୀ ଗୟାଧର ସ୍ୱାଇଁ କହିଛନ୍ତି।

ଭାରତୀୟ ସାମଗ୍ରୀ ଅପେକ୍ଷା ଚାଇନା ସାମଗ୍ରୀ ଶସ୍ତା ଥିବାରୁ ଲୋକମାନେ ଏହାକୁ କିଣିବାକୁ ଇଚ୍ଛା କରିଥାନ୍ତି। କିନ୍ତୁ ଭାଇରସର ଭୟରେ ଲୋକମାନେ ଏବେ ଦେଶୀ ସାମଗ୍ରୀମୁହାଁ ହେଲେଣି। ସେହିପରି ଓଡ଼ିଶାକୁ ଚାଇନା ମାଲ ରପ୍ତାନି ବନ୍ଦ ହେବା ଯୋଗୁଁ ବେପାର ୨୫ପ୍ରତିଶତକୁ ଖସିଆସିଥିବା ବ୍ୟବସାୟୀମାନେ କହିଛନ୍ତି। ତେବେ ଆସନ୍ତା ଏପ୍ରିଲ ମାସ ପର୍ଯ୍ୟନ୍ତ ଚାଇନାରୁ କୌଣସି ସାମଗ୍ରୀ ଓଡ଼ିଶାକୁ ରପ୍ତାନି ହେବନାହିଁ ବୋଲି ଜଣାପଡ଼ିଛି। ଯେଉଁଥିପାଇଁ ଆଗାମୀ ଦିନରେ ଚାଇନା ସାମଗ୍ରୀର ମୂଲ୍ୟବୃଦ୍ଧି ହୋଇପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା କରିଛନ୍ତି।