କରୋନା ଭାଇରସ ମୁକାବିଲା ପାଇଁ ଭାରତର ପ୍ରସ୍ତାବକୁ ଚୀନ କଲା ସ୍ୱାଗତ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କରୋନା ଭାଇରସର ମୁକାବିଲା ପାଇଁ ଭାରତ ଦ୍ୱାରା ଦିଆଯାଇଥିବା ସହଯୋଗର ପ୍ରସ୍ତାବକୁ ଚୀନ ସ୍ୱାଗତ କରିଛି । ଚୀନକୁ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଭାରତ ପକ୍ଷରୁ କରାଯାଇଥିବା ଏହି ମିତ୍ରତାର ବ୍ୟବହାର ଚୀନର ଲୋକମାନଙ୍କ ପ୍ରତି ଭାରତ ଲୋକଙ୍କର ଭଲ ପାଇବାକୁ ଦର୍ଶାଉଛି । ସେ କହିଛନ୍ତି ଯେ ଚୀନ ଭାରତ ସମେତ ଅନ୍ୟାନ୍ୟ ଦେଶ ମାନଙ୍କ ସହ ଏହି ମାମଲାରେ ସହଯୋଗକୁ ମଜଭୁତ କରିବା ପାଇଁ ଇଚ୍ଛୁକ । ଏହା ଦ୍ୱାରା ବିଶ୍ୱରେ ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପ୍ରାୟାସ କରାଯାଇ ପାରିବ ।

ଉଲ୍ଲେଖନୀୟ ଯେ, ରବିବାର ଦିନ କରୋନା ଭାଇରସର ମୁକାବିଲା କରିବା ପାଇଁ ଚୀନକୁ ସହାୟତା ପାଇଁ ପ୍ରସ୍ତାବ ଦେଇଥିଲା ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ରାଷ୍ଟ୍ରପତି ସି. ଚିନପିନଙ୍କୁ ଏକ ପତ୍ରଲେଖି ଏହି ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ପ୍ରକୋପରେ ଅନେକ ଲୋକଙ୍କର ମୃତ୍ୟୁକୁ ନେଇ ଗଭୀର ଦୁଃଖ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ପତ୍ରରେ ଚୀନରୁ ଭାରତୀୟ ମାନଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ସହଯୋଗ ପାଇଁ କୃତଜ୍ଞତା ମଧ୍ୟ ଜ୍ଞାପନ କରିଥିଲେ । କରୋନା ଭାଇରସ ମୁକାବିଲା ପାଇଁ ଭାରତ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ ଏହି ପତ୍ରରେ ପ୍ରସ୍ତାବ ଦେଇଥିଲେ ।