ନୂଆଦିଲ୍ଲୀ, ଏଜେନ୍ସି: କରୋନା ମହାମାରୀ ଯୋଗୁଁ ବିଶ୍ୱରେ ଅଦ୍ୟାବଧି ପାଖାପାଖି ୨ କୋଟି ୭୫ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେବା ସହ ପ୍ରାୟ ୮ ଲକ୍ଷ ୯୭ ହଜାରରୁ ଅଧିକ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍-୧୯ ପାଇଁ ଚୀନ୍ ହିଁ ପ୍ରକୃତରେ ଦାୟୀ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପେଓ ପୁଣି ଥରେ ଦୋହରାଇଛନ୍ତି। କରୋନା ମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଚୀନର କମ୍ୟୁନିଷ୍ଟ ପାର୍ଟି ସରକାରଙ୍କୁ ଦୋଷୀସାବସ୍ତ କରିବାକୁ ଆମେରିକା ବଦ୍ଧ ପରିକର ବୋଲି ପମ୍ପେଓ କହିଛନ୍ତି। ଦକ୍ଷିଣ ଚୀନ୍ ସାଗରରେ ଚୀନର ଆଧିପତ୍ୟ ବିସ୍ତାର ସାଙ୍ଗକୁ କୋଭିଡ୍ ପରିଚାଳନାରେ ଚୀନ୍ ସରକାରଙ୍କ ଗୋପନୀୟତାକୁ କେନ୍ଦ୍ର କରି ସମ୍ପ୍ରତି ୱାଶିଂଟନ୍ ଓ ବେଜିଂ ପ୍ରଶାସନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଏ ପରିପ୍ରେକ୍ଷୀରେ ବିଶେଷ କରି କୋଭିଡ୍ ପ୍ରସଙ୍ଗରେ ଚୀନକୁ ବିଶ୍ୱ ଦରବାରରେ ଏକଘରିକିଆ କରିବା ଲାଗି ପମ୍ପେଓ ଏଭଳି ଚୀନକୁ ବାରମ୍ବାର ଦୋଷାରୋପ କରିଚାଲିଛନ୍ତି।