ବାଣିଜ୍ୟ ମେଳାରେ କୋଭିଡ୍-୧୯ ଟିକା ପ୍ରଦର୍ଶନ କଲା ଚୀନ୍

ବେଜିଂ, ଏଜେନ୍ସି: ଚୀନ୍ ବେଜିଂର ବାଣିଜ୍ୟ ମେଳାରେ ପ୍ରଥମଥର ଲାଗି ସ୍ୱଦେଶ ନିର୍ମିତ କରୋନା ଭାଇରସ୍ ଟିକା ପ୍ରଦର୍ଶନ କରିଛି। ଚୀନର ସିନେଭ୍ୟାକ୍ ବାୟୋଟେକ୍ ଏବଂ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ ଏହି ଟିକା ସୋମବାର ଦିନ ବାଣିଜ୍ୟ ମେଳାକୁ ଆସିଥିବା ଲୋକେ ଏହାକୁ ଦେଖିବା ପାଇଁ ବୁଥଗୁଡିକରେ ଗହଳି ଲଗାଇଥିଲେ। ପ୍ରଦର୍ଶିତ ଟିକା ହେଉଛି ବିଶ୍ୱବ୍ୟାପୀ ୩ ପର୍ଯ୍ୟାୟ ପରୀକ୍ଷାକୁ ପ୍ରବେଶ କରୁଥିବା ପ୍ରାୟ ୧୦ଟି ଟିକା ମଧ୍ୟରେ ଅନ୍ୟତମ। ସିନୋଫାର୍ମ କହିଛି ଯେ, ଏହି ଟିକାରୁ ମିଳୁଥିବା ଆଣ୍ଟିବଡି ବର୍ଷେରୁ ତିନିବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ଗଣମାଧ୍ୟମକୁ ସିନୋଭ୍ୟାକ ପ୍ରତିନିଧି କହିଛନ୍ତି ଯେ, ବର୍ଷକୁ ୩୦୦ ନିୟୁତ ଡୋଜ ଟିକା ଉତ୍ପାଦନ କ୍ଷମତା ଥିବା କାରଖାନା ନିର୍ମାଣ ସରିଲାଣି। ଚୀନର ରାଷ୍ଟ୍ରାୟତ ସମ୍ବାଦପତ୍ର ‘ଗ୍ଳୋବାଲ ଟାଇମ୍ସ’ ରିପୋର୍ଟ କରିଛି ଯେ, ଏହି ଟିକାର ମୂଲ୍ୟ ଅଧିକ ହେବନାହିଁ। ପ୍ରତି ଦୁଇ ଡୋଜ୍ର ମୂଲ୍ୟ ୧୪୬ ଡଲାରରୁ କମ୍ ରହିବ। ଚୀନର ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥା ‘ଜିନହୁଆ’ ସୋମବାର ଦିନ ରିପୋର୍ଟ କରିଛି ଯେ, ଚୀନର ସାମରିକ ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ଅନ୍ୟ ଏକ ଟିକା ଗୁଣସୂତ୍ର ପରିବର୍ତ୍ତିତ ହେଉଥିବା କରୋନା ଭାଇରସର ମୁକାବିଲା କରିପାରିବ। ପୃଥିବୀବାସୀଙ୍କ ମଙ୍ଗଳ ଲାଗି ଚୀନ୍ ଟିକା ପ୍ରସ୍ତୁତ କରିବ ବୋଲି ଗତ ମେ ମାସରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଦୃଢତାର ସହ କହିଥିଲେ।