ଲିପୁଲେଖ ଘାଟି ନିକଟରେ ସୈନ୍ୟ ଠୁଳ କରୁଛି ଚୀନ୍

ନୂଆଦିଲ୍ଲୀ,ଏଜେନ୍ସି: ଲଦାଖ ସୀମାରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ-ଚୀନ୍ ସେନା ଦୀର୍ଘ ଦିନ ଧରି ମୁହାଁମୁହିଁ ଅବସ୍ଥାରେ ରହିଥିଲା ବେଳେ ଉଭୟ ଦେଶ ସୈନ୍ୟ ଅପସାରଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡର ଲିପୁଲେଖ ଘାଟି ନିକଟରେ ଚୀନ୍ ‘ପିପୁଲ୍ସ ଲିବରେସନ ଆର୍ମି’ର ଏକ ବାଟାଲିୟନ୍ ସୈନ୍ୟ ଠୁଳ କରିଥିବା ବିଶେଷସୂତ୍ରରୁ ଜଣାପଡିଛି। ଗତ କେତେ ସପ୍ତାହ ହେବ ଚୀନ୍ ସେନାର ଗତିବିଧି ଏହି ଅଞ୍ଚଳରେ ପରିଲକ୍ଷିତ ହୋଇଛି। ଏ ସ୍ଥାନ ମଧ୍ୟ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ। ଏ ସଂକ୍ରାନ୍ତରେ ଜଣେ ଶୀର୍ଷସ୍ତରୀୟ ସାମରିକ କମାଣ୍ଡର କହିଛନ୍ତି, ଲିପୁଲେଖ ଘାଟି, ଉତ୍ତର ସିକିମ୍ ଏବଂ ଅରୁଣାଚଳ ପ୍ରଦେଶର ଆରପାଖର କେତେକ ଅଂଶରେ ପିପୁଲ୍ସ ଲିବରେସନ୍ ଆର୍ମିର ସୈନିକମାନେ ଠୁଳ ହୋଇଛନ୍ତି।

ଲିପୁଲେଖ ଘାଟି ଅଞ୍ଚଳ ସୀମାନ୍ତ ଠାରୁ କିଛି ଦୂରରେ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ପ୍ରାୟ ୧୦୦୦ ସୈନ୍ୟବିଶିଷ୍ଟ ବାଟାଲିୟନ୍ ମୁତୟନ କରିଛି। ଏଥିରୁ ସୂଚନା ମିଳୁଛି ଯେ, ଚୀନ୍ ସୈନିକମାନେ ଭାରତକୁ ଟାର୍ଗେଟ୍ କରି ପ୍ରସ୍ତୁତ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଏହି ସୀମାରେ ବିପୁଳ ସଂଖ୍ୟାରେ ସୈନ୍ୟ ମୁତୟନ କରାଯାଇଛି। ଭାରତୀୟ ସେନା ପିପୁଲ୍ସ ଲିବରେସନ ଆର୍ମିର ଗତିବିଧି ଉପରେ ନଜର ରଖିବା ସହ ନେପାଳ ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖିଛି। କାରଣ ନିକଟ ଅତୀତରେ ନେପାଳ ତାର ରାଜନୈତିକ ମାନଚିତ୍ର ସଂଶୋଧନ କରି କାଲାପାଣି ଓ ଲିପୁଲେଖକୁ ନିଜ ଅଞ୍ଚଳ ଅନ୍ତର୍ଭୁକ୍ତ କରି ଭାରତ ସହ ବିବାଦ ସୃଷ୍ଟି କରିଥିଲା।

ଏହି ଅଞ୍ଚଳ ଭାରତ-ଚୀନ୍-ନେପାଳ ସୀମାନ୍ତକୁ ଲାଗିଛି। ମାନସରୋବର ଯାତ୍ରା ବାଟରେ ପଡୁଥିବା ଲିପୁଲେଖ ଘାଟିରେ ଜୁନରୁ ଅକ୍ଟୋବର ମାସ ମଧ୍ୟରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ବରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ବାର୍ଷିକ ପଣ୍ୟ ବିନିମୟ ଓ ବାଣିଜ୍ୟ କାରବାର ଚାଲିଥାଏ।