ଅରୁଣାଚଳ ପ୍ରଦେଶରେ ଗାଁ ନିର୍ମାଣ କରିଛି ଚୀନ୍

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବ ଲଦାଖରେ ଭାରତ-ଚୀନ୍ ମଧ୍ୟରେ ସୀମାବିବାଦ ଲାଗି ରହିଥିଲା ବେଳେ ଏଭଳି ଆଉ ଏକ ନୂଆ ବିବାଦ ଦେଖାଦେଇଛି। ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳରେ ଚୀନ୍ ଏକ ନୂଆ ଗ୍ରାମ ନିର୍ମାଣ କରିଥିବା ସାଟେଲାଇଟ୍ ଫଟୋରୁ ଜଣାପଡିଛି। ଏହି ରିପୋର୍ଟ ଅନୁଯାୟୀ ଅରୁଣାଚଳ ପ୍ରଦେଶର ସୁବର୍ଣ୍ଣସିରି ଜିଲ୍ଲାରେ ସାରି ଚୁ ନଦୀକୂଳରେ ଥିବା ଏକ ଅଞ୍ଚଳରେ ଚୀନ୍ ଏକ ନୂଆ ଗାଁ ନିର୍ମାଣ କରିଛି। ଏହି ଗାଁରେ ୧୦୧ଟି ଘର ରହିଛି। ୨୦୨୦ ଅଗଷ୍ଟରେ ଏହି ଅଞ୍ଚଳରେ କୌଣସି ଗାଁ ନଥିଲା। ମାତ୍ର ୨୦୨୦ ନଭେମ୍ବର ବେଳକୁ ସେଠାରେ ୧୦୧ଟି ଘର ନିର୍ମାଣ ହୋଇଥିବା ଦେଖାଯାଇଛି। ଏହି ଗାଁର ଆୟତ୍ତନ ଆପାତତଃ ୪.୫ କିଲୋମିଟର। ଉଲ୍ଲେଖଯୋଗ୍ୟ ଗତବର୍ଷ ଜୁନ୍ ମାସରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍ ସେନା ସହ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଦୁଇ ଦେଶର ସେନା ମଧ୍ୟରେ ମୁହାଁମୁହିଁ ଅବସ୍ଥା ଏପର୍ଯ୍ୟନ୍ତ ବଳବତ୍ତର ରହିଛି। ସୀମାର ଉଭୟପାଶ୍ୱର୍ରେ ଦୁଇ ଦେଶର ସହସ୍ରାଧିକ ଯବାନ ମୁତୟନ ଅଛନ୍ତି। ଅରୁଣାଚଳ ପ୍ରଦେଶରେ ଚୀନର ଏଭଳି ଅନୁପ୍ରବେଶ ସମ୍ପର୍କରେ ଅରୁଣାଚଳ-ଇଷ୍ଟର ବିଜେପି ସାଂସଦ ତାପିର ଗାଓ ୨୦୧୯ ନଭେମ୍ବରରେ ପାର୍ଲାମେଣ୍ଟରେ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଚୀନ୍ ଅରୁଣାଚଳ ପ୍ରଦେଶରେ ୫୦-୬୦ କିଲୋମିଟର ଅଞ୍ଚଳ ଜବରଦଖଲ କରିଛି। ଚୀନ୍ ସମଗ୍ର ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିଽତ ବୋଲି ଦର୍ଶାଇ ଏହା ଉପରେ ନିଜର ଅଧିକାର ଜାହିର କରିଆସୁଛି।