ଲଦାଖ ସୀମାରେ ଚୀନର ବଙ୍କର ନିର୍ମାଣ, ଅଧିକ ସୈନ୍ୟ ପଠାଇଲା ଭାରତ

ଲଦାଖ,ଏଜେନ୍ସି: ଭାରତର ଅନ୍ତର୍ଜାତୀୟ ସୀମାରେ ଚୀନ ବଙ୍କର ନିର୍ମାଣ କରୁଥିବା ଜଣାପଡିଛି। ସିକିମ୍ ଠାରୁ ଆରମ୍ଭ କରି ଲଦାଖ ଓ ପିଓକେ ପର୍ଯ୍ୟନ୍ତ ଚୀନର ସନ୍ଦେହଜନକ ଗତିବିଧି ଭାରତ ପାଇଁ ଉଦ୍ବେଗର କାରଣ ହୋଇଛି। ତେବେ ଲଦାଖରେ ଚୀନର ଏଭଳି ସନ୍ଦେହଜନକ କାର୍ଯ୍ୟକଳାପ ଜଣାପଡିବା ପରେ ଭାରତୀୟ ସେନା ସକ୍ରିୟ ହୋଇଉଠିଛି।

ମିଳିଥିବା ସୂଚନା ଅନୁସାରେ ଲଦାଖର ପାଙ୍ଗୋଙ୍ଗ୍ ହ୍ରଦ ନିକଟରେ ଥିବା ଫିଙ୍ଗର ଅଞ୍ଚଳରେ ଚୀନ ସେନା ପକ୍ଷରୁ ଏକ ବଙ୍କର ଓ ସୁଡଙ୍ଗ ତିଆରି କରାଯାଇଥିବା ଭାରତୀୟ ସେନା ଜାଣିବାକୁ ପାଇଛି। ବିଗତ ପ୍ରାୟ ୮ ବର୍ଷ ଧରି ଭାରତୀୟ ସେନା ଫିଙ୍ଗର ୫ ଅଞ୍ଚଳରେ ପାଟ୍ରୋଲିଂ କରି ଆସୁଛନ୍ତ। ସେହିପରି ଚୀନ ସେନା ଫିଙ୍ଗର ୩ ଅଞ୍ଚଳରେ ପାଟ୍ରୋଲିଂ ଜାରିରଖିଛି। କିନ୍ତୁ ଚୀନ ପକ୍ଷରୁ ଫିଙ୍ଗର ୩ ଓ ୪ ଅଞ୍ଚଳରେ ବଙ୍କର ତିଆରି କରାଯାଉଛି।

ଭାରତୀୟ ସେନାର ଏ ପ୍ରକାର ଗତିବିଧିକୁ ଅଟକାଇବା ପେଇଁ ଚୀନ ଏହା କରିଥିବା କୁହାଯାଉଛି। ନିର୍ମିତ ବଙ୍କର ଗୁଡିକରେ ଶତାଧିକ ଚୀନ ସେନା ରହିଥିବା ଭାରତୀୟ ସେନା ସୂଚନା ପାଇଛି। ଏହାକୁ ଦେଖି ଭାରତୀୟ ସେନା ମଧ୍ୟ ଏହି ଅଞ୍ଚଳରେ ଅଧିକରୁ ଅଧିକ ସୈନ୍ୟ ଠୁଳ କରିବାରେ ଲାଗିଛି।