କୋର୍ଟଙ୍କ ଐତିହାସିକ ରାୟ: ଘର କାମପାଇଁ ଗୃହିଣୀଙ୍କୁ ଦରମା ଦେବାକୁ ନିର୍ଦ୍ଦେଶ

ବେଜିଂ,ଏଜେନ୍ସି: ଜଣେ ଝିଅ ବିବାହ କରିବା ପରେ ଶାଶୂଘରେ ରୋଷେଇ କରିବା ତାର ପ୍ରଥମ କାମ। ଘରର ସବୁକାମ କରିବା ସହ ପିଲାଛୁଆର ଯତ୍ନ ବି ସେ ନେବେ। ହେଲେ କେବେ ତାହାର ପାରିଶ୍ରମିକ ମାଗନ୍ତି ନାହିଁ କି କେହି ଦେବାର ନଜିର ମଧ୍ୟ ନାହିଁ। ହେଲେ ଚାଇନାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ଛାଡପତ୍ର ନୋଟିସ ପାଇବା ପରେ ସେ ଯେତେବର୍ଷ ବିବାହ କରି ଘରେ ରୋଷେଇ କରିଛନ୍ତି ତାର ଦରମା ସ୍ୱାମୀଙ୍କ ଠାରୁ ମାଗିଛନ୍ତି। ଏପରିକି ପିଲାଛୁଆର ଜତ୍ନ ବାବକଦୁ ମଧ୍ୟ ଅର୍ଥ ମାଗିଛନ୍ତି। ତାଙ୍କର ଦାବିକୁ ଗ୍ରହଣ କରି ସ୍ଥାନୀୟ କୋର୍ଟ ମଧ୍ୟ ଅର୍ଥ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ବେଜିଂର ଫାନସାଙ୍ଗ ଜିଲ୍ଲାର ଚେନ୍ ନାମକ ଜଣେ ଯୁବକ ତାଙ୍କ ପତ୍ନୀ ୱାଙ୍ଗକୁ ଛାଡପତ୍ର ନୋଟିସ ଦେଇଥିଲେ। ଏହି ମାମଲାରେ ଶୁଣାଣି କରି କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି। ସାଙ୍ଗରେ ରହିଥିବା ବେଳେ ପତ୍ନୀ ଯେଉଁ କାମ କରିଛନ୍ତି ସେଥିପାଇଁ ତାଙ୍କୁ ପାଉଣା ଦେବାକୁ ସ୍ୱାମୀକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ୫ ବର୍ଷ ସାଙ୍ଗରେ ରହିଥିବା ବେଳେ ଘର କାମ ସହ ପିଲାମାନଙ୍କ ଯତ୍ନ ନେଇଥିବାରୁ ମହିଳାଙ୍କୁ ୫୦,୦୦୦ ୟାନ୍ ଦରମା ବାବଦ ଦେବାକୁ ସ୍ୱାମୀକୁ କୋର୍ଟ କହିଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। କେହି କେହି ଏହାକୁ କୋର୍ଟଙ୍କ ଐତିହାସିକ ରାୟ ବୋଲି କହିଛନ୍ତି। ଜାୟୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିବିସିରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବ୍ୟକ୍ତିଜଣଙ୍କ ଛାଡ଼ପତ୍ର ପାଇଁ ଆବେଦନ କରିବା ପରେ ତାଙ୍କ ସ୍ତ୍ରୀ କୋର୍ଟରେ କହିଛନ୍ତି ସେ ଏକାକୀ ଘର କାମ କରୁଛନ୍ତି। ଏହା ସହ ସମ୍ପର୍କୀୟ ଏବଂ ପିଲାମାନଙ୍କ ଯତ୍ନ ନେଉଛନ୍ତି। ପରେ କୋର୍ଟ ମହିଳାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ତେବେ ନିକଟରେ ଚୀନରେ ନୂଆ ସିଭିଲ୍ କୋଡ୍ ଲାଗୁ କରାଯାଇଛି। ଏହି ନୂଆ ନିୟମ ଆଧାରରେ ଜଣେ ମହିଳା ଛାଡ଼ପତ୍ର ସମୟରେ କ୍ଷତିପୂରଣ ମାଗିପାରିବେ। ପୂର୍ବରୁ ଚୀନରେ ପାରମ୍ପରିକ ଛାଡ଼ପତ୍ର ନେଉଥିବା ମହିଳାଙ୍କୁ କ୍ଷତିପୂରଣ ମିଳୁନଥିଲା। କିନ୍ତୁ ନୂଆ ସିଭିଲ କୋଡ ଆସିବା ପରେ ମହିଳାମାନେ କ୍ଷତିପୂରଣ ପାଇପାରିବେ।