ଭାରତଠାରୁ ଚାଉଳ କିଣିଲା ଚୀନ୍

ନୂଆଦିଲ୍ଲୀ, ଏଜେନ୍ସି: ଗତ ଆଠମାସ ହେଲା ପୂର୍ବ ଲଦାଖରେ ଭାରତ-ଚୀନ୍ ସୀମାରେ ଆକ୍ରମଣ ରୂପ ଦେଖାଉଥିବା ଚୀନ୍ ଭାରତଠାରୁ ଚାଉଳ କିଣିଛି। ଭାରତଠାରୁ ନିଜ ଦେଶକୁ ପ୍ରାୟ ୫ହଜାର ଟନ୍ ଚାଉଳ ପରିବହନ କରାଇବାକୁ କହିଛି। ପ୍ରାୟ ୩୦ବର୍ଷ ପରେ ଚୀନ୍ ଭାରତଠାରୁ ଚାଉଳ କିଣୁଥିବା ଜଣେ ଉଦ୍ୟୋଗ ଅଧିକାରୀ ଏକ ଖବର ଏଜେନ୍ସିକୁ ସୂଚନା ଦେଇଛନ୍ତି। ଧାନ ଉତ୍ପାଦନରେ ଭାରତ ବିଶ୍ୱର ଏକ ଅଗ୍ରଣୀ ଦେଶ ହୋଇଥିବା ବେଳେ ଚୀନ୍ ଚାଉଳ କିଣିବାରେ ଏକ ଅଗ୍ରଣୀ ଦେଶ। ବେଜିଂ ବାର୍ଷିକ ପ୍ରାୟ ୪ମିଲିୟନ ଟନ୍ ଚାଉଳ କିଣୁଥିବା ଅଧିକାରୀ ଜଣକ କହିଛନ୍ତି। ଚାଉଳ ରପ୍ତାନି ସଂଘର ଅଧ୍ୟକ୍ଷ ବି.ଭି କୃଷ୍ଣରାଓଙ୍କ ସୂଚନା ଅନୁଯାୟୀ, ଭାରତ ଉତ୍ପାଦିତ ଚାଉଳର ଗୁଣବତ୍ତା ଦେଖି ଚୀନ୍ ଚାଉଳ କିଣିଛି। ଆସନ୍ତା ବର୍ଷ ଚୀନ୍ ଅଧିକ ପରିମାଣର ଚାଉଳ କିଣିପାରେ ବୋଲି କୃଷ୍ଣରାଓ କହିଛନ୍ତି। ସୂଚନାଯୋଗ୍ୟ, କରୋନା ମହାମାରୀ ମଧ୍ୟରେ ଭାରତରୁ ଅନ୍ୟ ଦେଶମାନଙ୍କୁ ଚାଉଳ ରପ୍ତାନି ପରିମାଣ ବୃଦ୍ଧି ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ଭାରତ ଅନ୍ୟ ଦେଶମାନଙ୍କୁ ୭୦ଲକ୍ଷ ଟନ୍ ଚାଉଳ ରପ୍ତାନୀ କରିଛି। ପଶ୍ଚିମ ଆଫ୍ରିକା ଏବଂ ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କୁ ଭାରତ ଅଧିକମାତ୍ରାରେ ଚାଉଳ ରପ୍ତାନି କରିଛି।