ସୀମା ବିବାଦକୁ ନେଇ ଆଜି ଚୀନ ଓ ଭାରତର ଆଲୋଚନା

ବେଇଜିଂ,ଏଜେନ୍ସି: ଲଦାଖର ପୂର୍ବ ସୀମାନ୍ତରେ ମାସେ ଧରି ଲାଗିରହିଥିବା ବିବାଦର ସମାଧାନ ପାଇଁ ଭାରତ ସହିତ ସେନାଧିକାରୀ ସ୍ତରୀୟ ଆଲୋଚନାର ଅବ୍ୟବହିତ ପୂର୍ବରୁ ଚୀନ୍‌ ନୂଆ ସେନା କମାଣ୍ଡର ନିଯୁକ୍ତ କରିଛି। ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ) ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ମୁଖ୍ୟ ଭାବେ ନିଯୁକ୍ତ ପାଇଥିବା ଏହି କମାଣ୍ଡର ଲେଫ୍ଟନାଣ୍ଡ ଜେନେରାଲ ସୁ କ୍ବିଲିଂ ଭାରତ ସଂଲଗ୍ନ ସୀମାନ୍ତ ତଦାରଖ କରୁଥିବା ସେନାର ଦାୟିତ୍ବ ବହନ କରିବେ। ସମ୍ପ୍ରତି ଏହାର ନେତୃତ୍ବ ନେଉଥିବା

ଜେନେରାଲ ଝାଓ ଜୁକିଙ୍କ ସ୍ଥାନ ସେ ନେବେ। ପୂର୍ବରୁ ସୁ ପୂର୍ବାଞ୍ଚଳ ଥିଏଟର କମାଣ୍ଡ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ୱେଷ୍ଟର୍ଣ୍ଣ କମାଣ୍ଡ ତିବ୍‌ବତର ଦକ୍ଷିଣଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଭାରତ ସଂଲଗ୍ନ ୩୪୮୮ କିମି ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସି ତଦାରଖ କରୁଛି। ଏହା ଅଧୀନରେ ପଦାତିକବାହିନୀ ସହିତ ବିମାନବାହିନୀ ଓ ରକେଟବାହିନୀ ରହିଛି। ଶନିବାର ସୀମାନ୍ତ ବିବାଦର ସମାଧାନ ପାଇଁ ପ୍ରଥମ ବିସ୍ତୃତ ଆଲୋଚନା ହେବ।

ଉଭୟ ରାଷ୍ଟ୍ରର ଜେନେରାଲସ୍ତରରେ ଏହି ଆଲୋଚନା ହେବ। ଭାରତୀୟ ପକ୍ଷର ନେତୃତ୍ବ ନେବେ ଲେଫ୍ଟନାଣ୍ଡ ଜେନେରାଲ ହରିନ୍ଦର ସିଂହ। ଲେହ୍‌ସ୍ଥିତ ୧୪-କର୍ପସ୍‌ର କମାଣ୍ଡିଂ ଅଫିସର ଅଛନ୍ତି ହରିନ୍ଦର। ପୂର୍ବରୁ ଦୁଇ ସେନାର ସ୍ଥାନୀୟ କମାଣ୍ଡର ତଥା ମେଜର ଜେନେରାଲସ୍ତରର ଅଧିକାରୀଙ୍କ ମଧ୍ୟରେ ୧୦ପର୍ୟ୍ୟାୟ ଆଲୋଚନା ସରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ।