ଚୀନରେ ୪୧ କୋରୋନାଭାଇରସ୍ ସଂକ୍ରମିତ ଚିହ୍ନଟ

ବେଜିଂ,ଏଜେନ୍ସି : ଚୀନର ବେଜିଂ, ସାଂଘାଇ ସମେତ ଏକାଧିକ ସହରକୁ କୋରୋନାଭାଇରସ୍ ବ୍ୟାପୁଛି। ଚୀନରେ ୪୧ ରୋଗୀ ମାରାତ୍ମକ କୋରୋନାଭାଇରସ୍ ଶିକାର ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ସୂତ୍ରରୁ ପ୍ରକାଶ। ଏହି ଭାଇରସ୍ ସଂକ୍ରମଣ ଫଳରେ ସାମାନ୍ୟ ଥଣ୍ଡା ମଧ୍ୟ ରୋଗୀକୁ ମରଣମୁହଁରେ ପକାଇଦେବାର ସମ୍ଭାବନା ଯଥେଷ୍ଟ। ବିଶେଷ କରି ଏହି ଭାଇରସ୍ ମଣିଷର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରଥମେ ସଂକ୍ରମିତ କରିଥାଏ। ଭାରତରେ ଉକ୍ତ ଭାଇରସକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ପ୍ରତିକାର ପଦକ୍ଷେପ ଗ୍ରହଣ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚିନ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରିବାକୁ ପରାମର୍ଶ ପ୍ରଦାନ କରିଛି। ଏହି ସ୍କ୍ରିନିଂ ଜରିଆରେ ବିଦେଶୀ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟାବସ୍ଥା ସହଜରେ ଜଣାପଡ଼ିଯାଏ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ବୈଦେଶିକ ବ୍ୟାପାର ବିଭାଗକୁ ଚିଠି ଲେଖାଯାଇଛି। ଉକ୍ତ ଚିଠିରେ ୨୦୧୯ ଡିସେମ୍ବର ୩୧ ପରଠାରୁ ଚୀନର ୟୁହାନ୍ ସିଟିରୁ ଭାରତ ଆସିବାକୁ ଚାହୁଁଥିବା ଯାତ୍ରୀଙ୍କ ବିସ୍ତୃତ ରିପୋର୍ଟ ଲୋଡ଼ାଯାଇଛି। ଚୀନ୍ ସମେତ ଅନ୍ୟାନ୍ୟ ଦେଶରେ ଅବସ୍ଥିତ ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ନିୟମିତ ସମ୍ପର୍କ ରକ୍ଷା କରି ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚୀନ୍ରେ ବ୍ୟାପିଥିବା କୋରୋନାଭାଇରସ୍ ସ୍ଥିତି ସଂଗ୍ରହ କରୁଛି। ସାରା ବିଶ୍ୱକୁ ଯେଭଳି କୋରୋନାଭାଇରସ୍ ସଂକ୍ରମିତ ନହୁଏ, ସେଥିପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବେଶ୍ ସଚେତନ ଅଛି।